ଭୁବନେଶ୍ବର: ପଶ୍ଚିମରେ ଅଗ୍ନିବର୍ଷୀ ତାତି ଅନୁଭୂତ ହେଉଛି। ପୂର୍ବାହ୍ଣ ୯ଟା ବାଜିଲେ ପଦାକୁ ବାହାରି ହେଉନି। ପ୍ରବଳ ଖରାରେ ତାତି ଉଠୁଛି ପଶ୍ଚିମାଞ୍ଚଳ। ମଝିରେ ମଝିରେ ମାରୁଛି ଝାଞ୍ଜିପବନ। ମୁହଁ, ଦେହ ପୋଡ଼ି ପକାଉଛି। କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ବରଂ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲାରେ ଦିନ ତାପମାତ୍ରା ୪୦ଡିଗ୍ରୀ ଛୁଇଁଲାଣି। କିନ୍ତୁ ଉପକୂଳବର୍ତ୍ତୀ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। କାଁ ଭାଁ କିଛି ସ୍ଥାନକୁ ଛାଡ଼ିଦେଲେ ବାକି ସବୁଠି ବିଶେଷ ତାତି ଦେଖିବାକୁ ମିଳୁନାହିଁ। ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଏପରିକି ୨୦ତାରିଖ ବେଳକୁ ଭୁବନେଶ୍ବରରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଶନିବାର ଟିଟିଲାଗଡ଼ରେ ପାରଦ ୪୨.୭ଡିଗ୍ରୀ ଛୁଇଁଛି। ଏଠାରେ ରବିବାର ତାପମାତ୍ରା ୪୬ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଶନିବାର ଅନୁଗୋଳରେ ପାରଦ ୪୦.୧ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୨.୬, କେନ୍ଦୁଝରରେ ୪୦, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୦.୨, ହୀରାକୁଦରେ ୪୧.୪, ତାଳଚେରରେ ୪୧, ଭବାନୀପାଟଣାରେ ୪୨, ବଲାଙ୍ଗିରରେ ୪୧, ସୁବର୍ଣ୍ଣପୁରରେ ୪୦.୬, ବୌଦ୍ଧରେ ୪୦.୮, ନୂଆପଡ଼ାରେ ୪୧.୬, ରାଉରକେଲାରେ ୪୦.୯, ଖୋରଧାରେ ୩୯, ବରଗଡ଼ରେ ୩୯.୪, ଭୁବନେଶ୍ବରରେ ୩୬.୭ ଏବଂ କଟକରେ ୩୬.୮ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହି ସମୟ ମଧ୍ୟରେ ଟିଟିଲାଗଡ଼ରେ ପାରଦ ୪୬ଡିଗ୍ରୀ ଅତିକ୍ରମ କରିବାକୁ ଥିବାବେଳେ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଆଦି କେତେକ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହୋଇପାରେ।
ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଏବଂ ସମ୍ବଲପୁର ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର ଏବଂ ବଲାଙ୍ଗିର ଜିଲାରେ ରାତିରେ ତାପମାତ୍ରା ଉଷ୍ଣ ରହିବାର ସମ୍ଭାବନା ଅଛି। ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର ବାୟୁମଣ୍ଡଳରେ ଉଷ୍ଣ ଆର୍ଦ୍ରତା କାରଣରୁ ଗରମ ସହିତ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, କନ୍ଧମାଳ ଏବଂ ରାୟଗଡ଼ା ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦କି.ମିି. ବେଗରେ ପବନ ବହିପାରେ।










