29.1 C
Bhubaneswar
Tuesday, May 7, 2024
Homeଓଡିଶାମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼, ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିର

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼, ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିର

ପୁରୀ:  ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଶନିବାର ଥିଲା ଏ ମାସର ଶେଷ ଦିନ । ତେଣୁ ବଡ଼ଦାଣ୍ଡରେ ଆଜି ସକାଳୁ ରାତି ସାଢ଼େ ୮ଟା ଯାଏ ନାହିଁ ନଥିବା ଭିଡ଼ ଲାଗି ରହିଥିଲା । ଲକ୍ଷାଧିକ ଭକ୍ତ ପ୍ରଭୂଙ୍କ ଦର୍ଶନର ସୁଯୋଗ ପାଇଥିଲେ ହେଁ ଆହୁରି ହଜାର ହଜାର ଭକ୍ତ ବିନା ଦର୍ଶନରେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ଜାନୁଆରୀ ୧୦ ସୋମବାର ଠାରୁ ୩୧ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀମନ୍ଦିରର କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ ଏବଂ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜାନୁୟାରୀ ୩୧ ଯାଏ ଜଗା ଦର୍ଶନ ବନ୍ଦରହିବ ।

ତେବେ ବିଧି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ । ରବିବାର ଦିନ ଶ୍ରୀମନ୍ଦିର ପରିସର ସାଇନିଟାଇଜ କରାଯିବ । ତେଣୁ ଦର୍ଶନ ବସ୍ତୁତଃ ବନ୍ଦ ରହିବ । ଅର୍ଥାତ୍ ଆଜି ଥିଲା ଦର୍ଶନ ପାଇଁ ଏ ମାସର ଶେଷ ଦିନ । ଆଜି ସକାଳୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଥିଲା । ସକାଳ ୭ଟା ବେଳକୁ ଭକ୍ତଙ୍କ ଧାଡ଼ି ମରିଚି କୋର୍ଟ ଗଳିଯାଏଁ ଲମ୍ବିଥିଲା । ପରବର୍ତ୍ତୀ କାଳରେ ଭିଡ଼ ବଢ଼ିବଢ଼ି ଚାଲିଥିଲା । ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ । ବଡ଼ଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଥିଲା । ଅନେକ ଭକ୍ତ ଛୁଆ ପିଲାଙ୍କୁ ଧରି ଲାଇନ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଯେତେ କଷ୍ଟ ହେଲେ ମଧ୍ୟ ନିଶ୍ଚୟ ଜଗା ଦର୍ଶନ କରିବୁ ବୋଲି କେତେକ ମହିଳା କହୁଥିବାର ଶୁଣାଯାଇଥିଲା । ପ୍ରଭୂଙ୍କ ଦର୍ଶନ ମିଳିଗଲେ ଏ କଷ୍ଟ ଉଭେଇ ଯିବ ବୋଲି ଆଉ କେତେକ କହୁଥିଲେ ।

ପୁଲିସ ପ୍ରଶାସନ ଭିଡ଼କୁ ନିୟନ୍ତ୍ରଣ କରୁଥିଲା । ପ୍ରଥମେ ଶୃଂଖଳାର ସହିତ ଭକ୍ତମାନେ ଧାଡ଼ିରେ ଯାଇ ଦର୍ଶନ କରୁଥିଲେ । ସିଂହଦ୍ୱାର ସମ୍ମୁଖରୁ ପୁୂଲିସ ଭକ୍ତଙ୍କୁ ଦଫା ଦଫା କରି ମନ୍ଦିର ଭିତରକୁ ଛାଡ଼ୁଥିଲା । ଦର୍ଶନ ସରିବା ପରେ ଭକ୍ତମାନେ ପଶ୍ଚିମ ଓ ଉତ୍ତର ଦ୍ୱାର ଦେଇ ବାହାରକୁ ବାହାରୁଥିଲେ । ସନ୍ଧ୍ୟା ପାଖେଇବାରୁ ଭକ୍ତଙ୍କ ମଧ୍ୟରେ ଧୀରେ ଧୀରେ ଉତ୍‌କଣ୍ଠା ପ୍ରକାଶ ପାଇଥିଲା । ଜଣେ ଜଣେ ଭକ୍ତ ୩/୪ ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇଥିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖକୁ ଆସିପାରି ନଥିଲେ । ଏଣେ ରାତି ୯ଟାରୁ ସହରରେ କର୍ଫ୍ୟୁ ଜାରି ହେବ ବୋଲି ପ୍ରଶାସନ ଘୋଷଣା କରିସାରିଛି । ତେଣୁ ସାଢ଼େ ୮ଟା ସୁଦ୍ଧା ମନ୍ଦିର ବନ୍ଦ ହୋଇଯିବ ବୋଲି ସୂଚନା ଥିଲା । ତେଣୁ ମନ୍ଦିରରେ ଶୀଘ୍ର ପ୍ରବେଶ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା ।

କେତେକ ଭକ୍ତ ଲାଇନ ବାହାରେ ଆଗକୁ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଆଉ କିଛି ଭକ୍ତ ଲାଇନ ଭାଙ୍ଗି ଆଗକୁ ଦୌଡ଼ିଥିଲେ । ତେଣୁ ଲାଇନ ଭାଙ୍ଗି ଯାଇଥିଲା ଓ ସମସ୍ତେ ନିଜ ନିଜ ରାସ୍ତାରେ ଦୌଡ଼ିବା ଆରମ୍ଭ କରିଥିଲେ । ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ସକ୍ଷମ ହୋଇନଥିଲା । ସୌଭାଗ୍ୟବଶତଃ କୌଣସି ଦଳାଚକଟା ହୋଇନଥିଲା । ତଥାପି ସେହିପରି ଠେଲାପେଲା ମଧ୍ୟରେ ଦର୍ଶନ ଚାଲିଥିଲା । ରାତି ସାଢ଼େ ୮ଟା ଯାଏଁ ଦର୍ଶନ ଚାଲିଥିଲା । ତାପରେ ସିଂହଦ୍ୱାର ବନ୍ଦ ହୋଇଯାଇଥିଲା । ତେଣୁ ହଜାର ହଜାର ଭକ୍ତ ଦର୍ଶନ ନପାଇ ମନ ଦୁଃଖରେ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking