31.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିଡ କଟକଣା ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

କୋଭିଡ କଟକଣା ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର:  କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ସମ୍ଭବ କି? ଏହି ପ୍ରଶ୍ନକୁ ନେଇ ସବୁଠି ଆଲୋଚନା-ପର୍ଯ୍ୟାଲୋଚନା ଚାଲିଥିଲାବେଳେ ରାଜ୍ୟ ନିର୍ବାଚନ ଆୟୋଗ ସ୍ଥିତିର ଗମ୍ଭୀରତାକୁ ପରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଶନିବାର ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ବସିଥିଲା ଏହି ବୈଠକ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲାବେଳେ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା ଯୋଗ ଦେଇଥିଲେ ।

ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର, ନିର୍ବାଚନ ପ୍ରଚାର ଓ ଭୋଟ ଗଣତି ସମୟରେ ହେବାକୁ ଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ସଂପର୍କରେ ଆୟୋଗ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଆଗ ଧାଡ଼ିର କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ ଟିକା ଦେବାକୁ ପଡ଼ିବ । ରାଜ୍ୟ ସରକାରଙ୍କୁ ଏଇ ପରାମର୍ଶ ଦେଇଛନ୍ତି ଶ୍ରୀ ପାଢ଼ୀ । କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଜାଣିବାକୁ ଚାହିଁଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଏକ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଥିଲା । ତେବେ ରାଜ୍ୟ ନିର୍ବାଚନ କମିଶନର ଏହାର ବିସ୍ତୃତ ତର୍ଜମା କରିବା ପରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତିି ନିଆଯିବ ବୋଲି ବୈଠକରେ ସ୍ପଷ୍ଟ କରିଥିଲେ । ବୈଠକରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍ ଆୟାର୍ ଓ ଉପ ସଚିବ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking