ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଛି ଏକ ନୃଶଂସ ହତ୍ୟାକାଣ୍ଡ। ଶଶୁରକୁ ହତ୍ୟା କରିଛି ଜ୍ୱାଇଁ। ଏଭଳି ଅଭାବନୀୟଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗ୍ରାମରେ। ଝିଅଜ୍ୱାଇଁ ଘରକୁ ଆସି ଜ୍ୱାଇଁ ହାତରେ ଜୀବନ ହାରିଲେ ଶଶୁର। ନୃଶଂସ ଭାବେ ଦାଆରେ ଶଶୁରର ବେକକାଟି ହତ୍ୟା କରିଛି ଜ୍ୱାଇଁ। ସୂଚନା ଅନୁଯାୟୀ ଆଜି ଶଶୁର ରମେଶ ସିଂ କ୍ଷୀରିପଦା ଗାଁ ରୁ ଖୁଣ୍ଟାପୁର ଗାଁକୁ ନିଜ ନାତିକୁ ପ୍ରଥମାଅଷ୍ଟାମୀ ପାଇଁ ନୂଆଲୁଗା ନେଇ ଆସିଥିଲେ। ତେବେ ରମେଶଙ୍କ ଝିଅ ନିଜ ଶାଶୁ ଘରେ ନ ରହି ଗତ କିଛିଦିନ ହେବ ବାପଘର ପାଖରେ ରହୁଛି। କୌଣସି କାରଣରୁ ଝିଅ ଓ ଜ୍ୱାଇଁ ଙ୍କ ମଧ୍ୟରେ ଗଣ୍ଡଗୋଳ ହେବାପରେ ଝିଅ ଯାଇ ବାପଘର ପାଖରେ ରହୁଛି। ତେବେ ଆଜି ରମେଶ ତାଙ୍କ ଜ୍ୱାଇଁ ଙ୍କ ଘର ଖୁଣ୍ଟାପୁର ଗାଁ କୁ ଆସିଥିବା ବେଳେ ତାଙ୍କ ଜ୍ୱାଇଁ ରାଜୁ ସିଂ ଓ ଜ୍ୱାଇଁ ଙ୍କ ଭାଇ ଲବ ସିଂ ମିଶି ଏକ ଧାରୁଆ ଅସ୍ତ୍ର ଦାଆରେ ବେକକୁ କାଟି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ସମ୍ପର୍କରେ ଖବରପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି। ତେବେ ହତ୍ୟାକାରୀ ଦୁଇଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉଜାରି ରଖିଥିବା ଜଣାପଡ଼ିଛି।