27.1 C
Bhubaneswar
Tuesday, May 7, 2024
Homeଓଡିଶାକନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ୨୯ରେ ରାୟ ଶୁଣାଇବେ ଡିଭିଜନ ବେଞ୍ଚ

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ୨୯ରେ ରାୟ ଶୁଣାଇବେ ଡିଭିଜନ ବେଞ୍ଚ

କଟକ: ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (ଓସେପା)ର ମେରିଟ ଲିଷ୍ଟ ଖାରଜ କରିଥିଲେ । ଏଥି ସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଜଷ୍ଟିସ ଶତପଥୀ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟର ଡିଭିଜନ୍ ବେଞ୍ଚରେ ଅପିଲ କରିଛନ୍ତି । ଉକ୍ତ ଅପିଲକୁ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଆଜି ଶୁଣାଣି କରିଛନ୍ତି । ହାଇକୋର୍ଟ ଆସନ୍ତା ୨୯ ତାରିଖରେ ମାମଲାର ରାୟ ଶୁଣାଇବେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍ ଆବେଦନ ପାଇଁ ୨୦୨୩ ସେପ୍ଟେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ଥିଲା । ଆବେଦନ ପ୍ରକ୍ରିୟା ଶେଷ ପରେ ୨୦୨୪ ଜାନୁୟାରୀ ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାଞ୍ଚ ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା । ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା । ଏହାଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି । ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ.ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଜାନୁୟାରୀ ୧୯ ତାରିଖରେ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ । ସାର୍ଟିଫିକେଟ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ, ମାତ୍ର ଚୟନ ଓ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପ ି ନିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଅନୁଯାୟୀ ମେଧା ତାଲିକା ପ୍ରକାଶ କରାଯାଇଥିବା ଦର୍ଶାଇଥିଲେ । ପୂର୍ବରୁ ପ୍ରକାଶିତ ମେଧା ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ପୁଣି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଗତ ଜାନୁୟାରୀ ୩୧ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking