33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକଂଗ୍ରେସ ଚିନ୍ତନ ଶିବିରର ଦ୍ୱିତୀୟ ଦିନ : ଗଠିତ ହେବ କଂଗ୍ରେସ ସଂସଦୀୟ ବୋର୍ଡ

କଂଗ୍ରେସ ଚିନ୍ତନ ଶିବିରର ଦ୍ୱିତୀୟ ଦିନ : ଗଠିତ ହେବ କଂଗ୍ରେସ ସଂସଦୀୟ ବୋର୍ଡ

ଉଦୟପୁର: ରାଜସ୍ଥାନର ଉଦୟପୁରଠାରେ ବର୍ତ୍ତମାନ କଂଗ୍ରେସ ଦଳର ତିନିଦିନିଆ ଚିନ୍ତନ ଶିବିର ଆୟୋଜିତ ହେଉଛି । ତେବେ ଦ୍ୱିତୀୟ ଦିନରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ଅସନ୍ତୁଷ୍ଠ ଗୋଷ୍ଠୀଙ୍କ କେତେକ ଦାବିକୁ ହାଇକମାଣ୍ଡ ଗ୍ରହଣ କରିଥିବା ଜଣାପଡିଛି । ସେଗୁଡିକ ମଧ୍ୟରେ ‘କଂଗ୍ରେସ ସଂସଦୀୟ ବୋର୍ଡ’ ଗଠନ କରାଯିବା ପ୍ରସ୍ତାବ ଗୃହୀତ ହୋଇଛି । କଂଗ୍ରେସ କାର୍ଯ୍ୟକାରୀ କମିଟି ଅନୁମୋଦନ କରିବାପରେ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ କାର୍ଯ୍ୟ କରୁଥିବା ‘କଂଗ୍ରେସ ଇଲେକ୍‌ସନ କମିଟି’ ବଦଳରେ ଏଣିକି ‘କଂଗ୍ରେସ ସଂସଦୀୟ ବୋର୍ଡ’ ଗୁରୁ ଦାୟିତ୍ୱ ବହନ କରିବ ବୋଲି ଜଣାପଡିଛି । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଇଲେକ୍‌ସନ କମିଟି ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରୁଥିଲା ।

ଅପରପକ୍ଷରେ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା ଗୋଷ୍ଠୀ ଏହି ବୋର୍ଡ ଗଠନ ପ୍ରସ୍ତାବକୁ ଦୃଢ ବିରୋଧ କରିଥିବା ଜଣାପଡିଛି । ଏହି ବୋର୍ଡର ସଦସ୍ୟ ମନୋନୟନ ପାଇଁ ନିର୍ବାଚନ ହେବ କିମ୍ବା ହାଇକମାଣ୍ଡଙ୍କ ସୁପାରିସ ଅନୁଯାୟୀ ଏମାନେ ମନୋନୀତ ହେବେ, ସେଥିନେଇ ଏଭଳି ଦ୍ୱନ୍ଦ୍ୱ ଉପୁଜିଥିବା କୁହାଯାଇଛି । ଅପରପକ୍ଷରେ ଲୋକସଭା ନିର୍ବାଚନକୁ ଆଉ ମାତ୍ର ୨ ବର୍ଷ ବାକିଥିବାବେଳେ ଆଞ୍ଚଳିକ ଦଳଗୁଡିକ ସହ ମେଣ୍ଟ କରିବାକୁ ବହୁ ନେତା ପ୍ରସ୍ତାବ ଦେଇଛନ୍ତି । ଜାତୀୟସ୍ତରରେ ମେଣ୍ଟ ଅପେକ୍ଷା ଆଞ୍ଚଳିକ ଦଳର ସହଯୋଗ ଲୋଡିବାକୁ ଏକାଧିକ ବରିଷ୍ଠ ନେତା ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଅବଶ୍ୟ ଏହି ପ୍ରସ୍ତାବକୁ ନେଇ କଂଗ୍ରେସ ଶିବିର ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି । ଅଭିଷେକ ମନୁ ସିଂଘଭୀ, ପ୍ରମୋଦ ତିୱାରୀ ଓ ପୃଥ୍ୱୀରାଜ ଚୌହ୍ୱାନଙ୍କ ନେତୃତ୍ୱାଧୀନ ଗୋଟିଏ ଗୋଷ୍ଠୀ ‘ଏକ୍‌ଲା ଚଲୋରେ’ ନୀତିକୁ ସମର୍ଥନ କରିଥିବାବେଳେ ଅନ୍ୟ କେତେକ ନେତା ଆଞ୍ଚଳିକ ଦଳ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବାକୁ ସମର୍ଥନ ଜଣାଇଛନ୍ତି । ସାଂପ୍ରତିକ ରାଜନୀତିରେ ଆଞ୍ଚଳିକ ଦଳଗୁଡିକର ଯଥେଷ୍ଟ ପ୍ରଭାବ ରହିଥିବାରୁ ଏଥିରୁ ଫାଇଦା ଉଠାଇବା କଂଗ୍ରେସ ପାଇଁ ଲାଭଜନକ ହେବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି । ବର୍ତ୍ତମାନ ସାଂଗଠନିକ ସ୍ଥିତିକୁ ମଜଭୁତ କରି ଏକୁଟିଆ ନିର୍ବାଚନ ଲଢିବା ପାଇଁ ସମୟ ନଥିବାରୁ ଆଞ୍ଚଳିକ ଦଳ ସହ ମେଣ୍ଟ ଜରୁରୀ ବୋଲି ସେମାନେ କାରଣ ଦର୍ଶାଇଛନ୍ତି ।

ତେବେ ପ୍ରସ୍ତାବକୁ ବିରୋଧ କରୁଥିବା ଗୋଷ୍ଠୀ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ନିର୍ବାଚନର ଉଦାହରଣ ଦେଇଛନ୍ତି । ଗତବର୍ଷ ନିର୍ବାଚନରେ ପଶ୍ଚିମବଙ୍ଗରେ ସିପିଏମ ସହ ମେଣ୍ଟ କରି କଂଗ୍ରେସକୁ କୌଣସି ଫାଇଦା ହୋଇନଥିବା ସେମାନେ କହିଛନ୍ତି । ଶିବିରର ଦ୍ୱିତୀୟ ଦିନରେ ଦଳୀୟ ପଦ ପ୍ରସଙ୍ଗ ମଧ୍ୟ ଉଠିଥିଲା । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ଦୃଷ୍ଟିକୋଣରୁ ଦଳୀୟ ପଦର ୫୦ ପ୍ରତିଶତ ଦୁର୍ବଳ ଓ ଅନଗ୍ରସର ବର୍ଗଙ୍କ ପାଇଁ ସଂରକ୍ଷିତ ରଖିବାକୁ ମଧ୍ୟ ଦାବି କରାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ସାହାଯ୍ୟ କରିବାକୁ ଏକ ପରିଷଦ ଗଠନ ପାଇଁ ସୁପାରିସ ମଧ୍ୟ କରାଯାଇଛି । ଦୁର୍ବଳ ବର୍ଗର ସମସ୍ୟା ଆଲୋଚନା କରିବାକୁ ପ୍ରତି ୬ ମାସରେ ଥରେ ବୈଠକ ଡାକିବାକୁ ପ୍ରସ୍ତାବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking