26.1 C
Bhubaneswar
Wednesday, May 8, 2024
Homeଓଡିଶାମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗ : ଫସିବେ ‘ଜାଲିଆ’ ଛାତ୍ରଛାତ୍ରୀ

ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗ : ଫସିବେ ‘ଜାଲିଆ’ ଛାତ୍ରଛାତ୍ରୀ

ଭୁବନେଶ୍ୱର:   ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିଲେ ଏଣିକି ଫସିବେ ଛାତ୍ରଛାତ୍ରୀ । ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ର ଯାଞ୍ଚ କରାଯିବ । ଯଦି ଜାଲ୍ ପ୍ରମାଣପତ୍ରରେ କୌଣସି ଛାତ୍ରଛାତ୍ରୀ ଆଡ୍‌ମିଶନ୍ କରିଥାନ୍ତି, ତାହେଲେ ତୁରନ୍ତ ତାଙ୍କର ଆଡ୍‌ମିଶନ୍ ରଦ୍ଦ କରାଯିବ । ଏହାସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ କରାଯିବ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ଆଡ୍‌ମିଶନ୍ ଘଟଣା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏହି ମର୍ମରେ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ/ବେସରକାରୀ/ସେଲ୍‌ଫ୍ ଫାଇନାନ୍ସିଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ଭଦ୍ରକ କଲେଜରେ କିଛି ଛାତ୍ର ନାମ ଲେଖାଇଥିବା ଘଟଣା ବିଭାଗର ନଜରକୁ ଆସିଛି । ଏହି ବିଷୟ ଏବେ ତଦନ୍ତାଧୀନ ରହିଛି । ତଦନ୍ତ ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅନ୍ୟକୌଣସି ସ୍ଥାନରେ ଏପରି ଜାଲିଆତି ସମ୍ପର୍କରେ ଜାଣିବା ଲାଗି ଭିନ୍ନକ୍ଷମ ପ୍ରମାଣପତ୍ରର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାର ସିଡିଏମ୍‌ଓଙ୍କ ଜରିଆରେ ସବୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ । ଯାଞ୍ଚ ପରେ ମିଥ୍ୟା ପ୍ରମାଣପତ୍ର ସମ୍ପର୍କରେ ଜଣାପଡ଼ିଲେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ଆଡ୍‌ମିଶନ୍ ବାତିଲ୍ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ । ଏପରିକି ଜାଲିଆତି କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ, ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଭଦ୍ରକ କଲେଜରେ ଆଡ୍‌ମିଶନ୍ ହୋଇଥିବା ଅଭିଯୋଗ ଆସିଥିଲା । ଫଳରେ  ୮୦ ପ୍ରତିଶତ ମାର୍କ ରଖି ପିଲା ଆଡ୍‌ମିଶନ୍‌ରୁ ବଞ୍ଚିତ ହୋଇଥିଲେ । ହେଲେ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାମ ଲେଖାଇଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭଦ୍ରକ କଲେଜ ଆଡ୍‌ମିଶନ୍ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking