30.1 C
Bhubaneswar
Saturday, May 4, 2024
Homeଅପରାଧମହାବୀରବସ୍ତିରୁ ଗଳିତ ଶବ ଉଦ୍ଧାର ଘଟଣା; ଓଢ଼ଣୀରେ ତଣ୍ଟିଚିପି ମାରିଥିଲା ପ୍ରେମିକ

ମହାବୀରବସ୍ତିରୁ ଗଳିତ ଶବ ଉଦ୍ଧାର ଘଟଣା; ଓଢ଼ଣୀରେ ତଣ୍ଟିଚିପି ମାରିଥିଲା ପ୍ରେମିକ

ଭୁବନେଶ୍ୱର:  ଭରତପୁର ଥାନା ଅନ୍ତର୍ଗତ ରୁଚିକାମାର୍କେଟ୍ ମହାବୀର ବସ୍ତିରେ ସନ୍ଧ୍ୟାରାଣୀ ସେଠୀ ଓରଫ ଗୀତା(୨୬) ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି । ଫେରାର ଅଭିଯୁକ୍ତ ତଥା ପ୍ରେମିକକୁ ଭରତପୁର ଥାନା ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଚଢ଼େଇବନ୍ଧ ଗ୍ରାମର କାର୍ତ୍ତିକ ଜେନା(୩୫) । କାର୍ତ୍ତିକଙ୍କ ଅସଲି ନାମ ଶେଖ୍ ଫରିଦ୍ । କାର୍ତ୍ତିକଙ୍କ ବୈବାହିକ ଜୀବନରେ ଗୀତ ବାଧକ ସାଜୁଥିଲେ ।

ତେଣୁ କାର୍ତ୍ତିକ ଏକ ଓଢ଼ଣୀ ସାହାଯ୍ୟରେ ଗୀତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଭୁବନେଶ୍ୱର ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୭ତାରିଖରେ ମହାବୀର ବସ୍ତିର ଏକ ବନ୍ଦଘରୁ ଗୀତାଙ୍କ ଗଳିତ ମୃତଦେହ ପୁଲିସ ଜବତ କରିଥିଲା। ଗୀତାଙ୍କୁ ତାଙ୍କ ପ୍ରେମିକ କାର୍ତ୍ତିକ ହତ୍ୟା କରିବା ପରେ କବାଟ ବାହାରପଟୁ ବନ୍ଦ କରି ପଳାଇଯାଇଥିଲେ । ୩ଦିନ ପୂର୍ବରୁ ମୃତ୍ୟୁ ହୋଇଥିବାରୁ ତାଙ୍କ ଶରୀର ପଚିଯାଇଥିଲା । ଯେଉଁଥିପାଇଁ ଗୀତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା । ପରେ ଗୀତାଙ୍କ ପରିବାରଲୋକ ଚିହ୍ନଟ କରି ହତ୍ୟା ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲା । ପରେ ପୁଲିସ ଅଭିଯୁକ୍ତ କାର୍ତ୍ତିକକୁ ନୟାଗଡ଼ରୁ ଧରିବାରେ ସଫଳ ହୋଇଛି ।

-ଏମିତି ଧରାପଡ଼ିଲା ହତ୍ୟାକାରୀ
ଗୀତାଙ୍କୁ ହତ୍ୟା କରିବା ପରେ କାର୍ତ୍ତିକ ସେହିଦିନ ନିଜ ଘର ପଶ୍ଚିମବଙ୍ଗ ଚାଲିଯାଇଥିଲା । ପୁଲିସ ୪ଦିନ ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ହସ୍ପିଟାଲ ପଠାଇଥିଲା । ମୃତଦେହ ନିକଟରେ କୌଣସି ପରିଚୟ ପତ୍ର ନଥିବାରୁ ପୁଲିସ ଦ୍ୱନ୍ଦରେ ପଡିଥିଲା । ତେବେ ଘଟଣାର ପରଦିନ ଅର୍ଥାତ ୮ ତାରିଖରେ ଗୀତାଙ୍କ ମା’ ଗଣମାଧ୍ୟମରୁ ଖବର ପାଇ ଭୁବନେଶ୍ୱର ଆସିଥିଲେ । ମୃତଦେହ ଚିହ୍ନଟ କରି ତାଙ୍କ ଝିଅ ବୋଲି ପୁଲିସକୁ ଜଣାଇଥିଲେ । ଏହାସହ ଗୀତାଙ୍କ ସହ ରହୁଥିବା ରାଜମିସ୍ତ୍ରୀ କାର୍ତ୍ତିକ ହିଁ ହତ୍ୟା କରିଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିଚୟ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପାଇଁ ସହଜ ହୋଇଯାଇଥିଲା । ଏହାପରେ ତାଙ୍କଠୁ ପୁଲିସ କାର୍ତ୍ତିକ ଠିକଣା ଆଣି କଟକ ବୈଦେଶପୁର ଥାନା ଚଢେଇବନ୍ଧ ଗାଁକୁ ଯାଇଥିଲା ।

ସେଠାରେ ତାଙ୍କ ସ୍ତ୍ରୀ’ ଓ ପରିବାରଲୋକଙ୍କୁ ପଚରାଉଚରା କରିବା ପରେ କାର୍ତ୍ତିକ ନିଜ ଘର କୋଲକାତାକୁ ପଳାଇଯାଇଥିବା ସେମାନେ କହିଥିଲେ । ଭରତପୁର ପୁଲିସର ଏକ ଟିମ୍ କୋଲକାତା ଯାଇଥିଲା । ହେଲେ କାର୍ତ୍ତିକ ଜାଣିପାରିବା ପରେ ସେ ପୁଣି ଓଡିଶା ଚାଲିଆସି ନୟାଗଡ ଜଙ୍ଗଲରେ ଲୁଚିଥିଲା । ଏନେଇ ପୁଲିସ ଗୁରୁବାର ସକାଳୁ ଜଙ୍ଗଲରେ ଖୋଜାଖୋଜି କରିଥିଲା । ତେଣୁ କାର୍ତ୍ତିକ ସେଠାରୁ ପଲାଇଆସି ପୂର୍ବାହ୍ନରେ ନୟାଗଡ ଷ୍ଟାଣ୍ଡରୁ ବସ୍ ଯୋଗେ କନ୍ଧମାଳ ପଳାଇଯିବାକୁ ଯୋଜନା କରିଥିଲା । ସେ ବସ୍‌ରେ ଚଢୁଥିବା ସମୟରେ ପୁଲିସ ତାକୁ ଗିରଫ କରିନେଇଥିଲା ।

-ପ୍ରଥମ ସ୍ତ୍ରୀ’ଙ୍କ ସହ ସମ୍ପର୍କ ରଖିବାରୁ ତିକ୍ତତା
ଗୀତା ଓ କାର୍ତ୍ତିକ ସାଙ୍ଗରେ ରହି କାମ କରୁଥିଲେ । ଏନେଇ କାର୍ତ୍ତିକଙ୍କ ପ୍ରଥମ ସ୍ତ୍ରୀ’ କୁନି ଜେନା ଜାଣିପାରିଥିଲେ । ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ଗୀତାଙ୍କ ସହ ରହିବାକୁ ବାରଣ କରିଥିଲେ । ଯାହାଫଳରେ ବିବାଦ ସୃଷ୍ଟି ହୋଇଥିଲା । ଗୀତାଙ୍କ ସହ ଆଉ ରହିବେନି ବୋଲି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ କାର୍ତ୍ତିକ ପ୍ରତିଶୃତି ଦେଇଥିଲେ । ହେଲେ କିଛିଦିନ ପରେ ଗୀତା ଓ କାର୍ତ୍ତିକ ପୁଣି ଏକାଠି ରହିଥିଲେ । ତେବେ ଗୀତାଙ୍କୁ ଲୁଚାଇ କାର୍ତ୍ତିକ ତାଙ୍କ ପ୍ରଥମ ସ୍ତ୍ରୀ’ଙ୍କ ପାଖକୁ ଟଙ୍କା ଓ ପୁଅଝିଅ ପାଇଁ ଡ୍ରେସ୍ ପଠାଇଥିଲେ । ଗୀତା ଏହା ଜାଣିପାରି କାର୍ତ୍ତିକଙ୍କ ପ୍ରଥମ ସ୍ତ୍ରୀ’ଙ୍କୁ ଫୋନ୍ କରି ଗାଳି ଦେଇଥିଲେ । ଏଥିପାଇଁ ପରିବାରରେ ବିବାଦ ଲାଗିରହିଥିବାରୁ କାର୍ତ୍ତିକ ସବୁଦିନ ପାଇଁ ଗୀତାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ । ତେଣୁ ସେ ଘଟଣାର ୧୦ଦିନ ପୂର୍ବରୁ ମହାବୀରବସ୍ତିରେ ନୂଆ ଘରଭଡା ନେଇଥିଲେ ।

ସେପ୍ଟେମ୍ବର ୩ ତାରିଖରେ ଗୀତା ଶୋଇଥିବା ସମୟରେ କାର୍ତ୍ତିକ ତାଙ୍କ ବେକକୁ ଏକ ଓଢଣୀରେ ଭିଡି ହତ୍ୟା କରିଥିଲେ । ଭୋର୍‌ବେଳେ ପଡିଶାଲୋକ ଶୋଇଥିବାବେଳେ ଘରର ବାହାର ପଟୁ ତାଲା ପକାଇ କାର୍ତ୍ତିକ ବାଇକ୍ ନେଇ ଫେରାର୍ ହୋଇଯାଇଥିଲା । ଘଟଣାର ୪ଦିନ ପରେ ବି ଉକ୍ତ ଘରଟି ବାହାର ପଟୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପ୍ରଥମେ ମୂଷା କିମ୍ବା ଅନ୍ୟ ସରୀସୃପ ମରି ପଚା ଗନ୍ଧ ହେଉଥିବା ପଡ଼ୋଶୀ ସନ୍ଦେହ କରିଥିଲେ । ହେଲେ ୭ ଜୁଲାଇ ଅର୍ଥାତ୍ ମଙ୍ଗଳବାର ଅତ୍ୟଧିକ ଦୁର୍ଗନ୍ଧ ହେବା ସହ ପଚାସଢ଼ା ପାଣି କବାଟ ଫାଙ୍କ ଦେଇ ବାହାରକୁ ବୋହିଥିଲା । ଏହା ଦେଖି ପଡ଼ିଶା ଲୋକମାନେ ଘରମାଲିକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗି ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଥିଲା । ମୃତ ଯୁବତୀ ଏକ ନାଇଟ୍ ଡ୍ରେସ୍ ପିନ୍ଧିଥିବାବେଳେ ତାଙ୍କ ଶରୀର ଫୁଲି ଯାଇଥିଲା ।

-ବରମୁଣ୍ଡା ବସଷ୍ଟାଣ୍ଡରୁ ପ୍ରେମ
ମୃତା ଗୀତା ନୟାଗଡ ଜିଲାରେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସେ ବାପଘର ବୋଲଗୋଡ ଥାନା ରାମପୁର ଗାଁରେ ରହୁଥିଲେ । ତେବେ ରୋଜଗାର ପାଇଁ ସେ ତାଙ୍କ ଗାଁର କିଛି ମହିଳାଙ୍କ ସହ ମେଣ୍ଢାଶାଳ ଚିଙ୍ଗୁଡି ଫ୍ୟାକ୍ଟିରେ କାମ କରିବାକୁ ଆସି ଭୁବନେଶ୍ୱରରେ ରହୁଥିଲେ । ଦିନେ ବରମୁଣ୍ଡା ବସଷ୍ଟାଣ୍ଡରେ କାର୍ତ୍ତିକଙ୍କ ସହ ତାଙ୍କର ଦେଖା ହୋଇଥିଲା । କଥାବାର୍ତ୍ତ ପରେ ସମ୍ପର୍କରେ ନିବିଡତା ଆସିଯାଇଥିଲା । ଗୀତାଙ୍କ ଅତୀତ ସଂକ୍ରାନ୍ତରେ ଗୀତା ଫରିଦଙ୍କୁ କହିଥିଲେ । କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ତାଙ୍କ ସହ ହେଲ୍‌ପର ଭାବେ କାମ କଲେ ଅଧିକ ଟଙ୍କା ରୋଜଗାର ହେବ ବୋଲି ଗୀତା ଭାବିଥିଲେ । ଏନେଇ ଦୁହେଁ ସୁନ୍ଦରପଦାରେ ରହି ରାଜଧାନୀର ବିଭିନ୍ନ ସ୍ଥାନରେ କାମ କରୁଥିଲେ ।

-କଲିକତାର ଫରିଦ୍ ପାଲଟିଗଲା କାର୍ତ୍ତିକ
ସେଖ୍ ଫରିଦ୍ ୨୨ ବର୍ଷ ତଳେ କାମ ଖୋଜିବା ପାଇଁ କଲିକତାରୁ କଟକ ଆସିଥିଲେ । ସେଠାରେ ସେ ପ୍ରାୟ ୬ ମାସ କାମ କରି ପୁଣି ନିଜ ଗାଁକୁ ଚାଲିଯାଇଥିଲେ । ହେଲେ ଗାଁରେ କିଛିଦିନ ରହିବା ପରେ ସେ ପୁଣି ଭୁବନେଶ୍ୱର ଚାଲିଆସିଥିଲେ । ଇନଫୋସିଟି ଥାନା ଶିଖରଣ୍ଡୀ ବସ୍ତିରେ ଜଣେ ମହିଳାଙ୍କୁ ଧରମ ମାଉସୀ କରି ତାଙ୍କ ଘରେ ରହିଲେ । ସେଠାରେ ନିଜର ପ୍ରକୃତ ନାଁକୁ ବଦଳାଇ କାର୍ତ୍ତିକ ଜେନା ବୋଲି କହିଥିଲେ । ୨ ବର୍ଷ ପରେ ମାଉସୀ କେଉଁଆଡେ ଚାଲିଯିବାରୁ ସେ ଘର ଛାଡି ସୁନ୍ଦରପଦାରେ ରହି ଚାରିଆଡେ ବୁଲି ରାଜମିସ୍ତ୍ରୀ କାମ କରୁଥିଲେ । ତେବେ ୨୦୦୮ରେ ସେ କଟକ ଜିଲା ବୈଦେସପୁର ଥାନା ଚଢେଇବନ୍ଧ ଗ୍ରାମକୁ କାମ କରିବାକୁ ଯାଇ ସେଠାରେ ରହିଥିଲେ। ସେହି ଗ୍ରାମରେ ଏକ ଝିଅକୁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଗୋଟିଏ ଝିଅ ଓ ପୁଅ ହୋଇଥିଲା । ଚଢେଇବନ୍ଧରେ ତାଙ୍କ ପରିବାର ଥିବାବେଳେ ସେ ଭୁବନେଶ୍ୱର ଚାଲିଆସି ରାଜମିସ୍ତ୍ରୀ କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking