28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦାଦନ ଖଟିବା ହେଲା କାଳ, କ୍ଷତିପୂରଣ ଆଶ୍ୱାସନା ଦେଇ ଠକିଦେଲା କମ୍ପାନୀ

ଦାଦନ ଖଟିବା ହେଲା କାଳ, କ୍ଷତିପୂରଣ ଆଶ୍ୱାସନା ଦେଇ ଠକିଦେଲା କମ୍ପାନୀ

ଗୋଲାମୁଣ୍ଡା : ଦାଦନ ଖଟିବାକୁ ଯାଇ ଗୋଆରେ ପ୍ରାଣ ହରାଇଥିବା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗାଁର ନିର୍ଭୟ ମାଝୀଙ୍କ ପରିବାରକୁ କ୍ଷତିପୂରଣର ଆଶ୍ୱାସନା ଦେଇ ଠକିଦେଇଛି କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ସେଇଠି ହିଁ ବ୍ୟବଚ୍ଛେଦ ପରେ ଶବକୁ ପୋତିଦେଲା କମ୍ପାନୀ । ସେତେବେଳେ କମ୍ପାନୀ ତରଫରୁ ମୃତକଙ୍କ ସ୍ତ୍ରୀ ଶୁଭ ବେୱାଙ୍କୁ କ୍ଷତିପୂରଣ ବାବଦକୁ ୩ ଲକ୍ଷ ଟଙ୍କା ଦିଆଯିବ ବୋଲି ଆଶ୍ୱାସନା ମିଳିଥିଲା । ଇତିମଧ୍ୟରେ ୭ ମାସ ବିତିଗଲାଣି । କମ୍ପାନୀ ତରଫରୁ ଟଙ୍କାଟିଏ ବି ଦିଆଯାଇନାହିଁ ବୋଲି ଶୁଭ ବେୱା ଅଭିଯୋଗ କରିଛନ୍ତି । ଏନେଇ ସେ ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଧାମନପୁର ଗାଁର ନିର୍ଭୟ ମାଝୀ ଗୋଆ ରାଜ୍ୟର କ୍ଳୋଭା ସହରରେ ଥିବା ପୋରଲ କମ୍ପାନୀର ଘର ନିର୍ମାଣ କାମରେ ନିୟୋଜିତ ଥିଲେ । ଗତ ମେ’ ୩୦ ତାରିଖରେ କାମ କରୁଥିବା ସମୟରେ ମୁଣ୍ଡ ଉପରେ ଏକ ପଥର ଖସିପଡ଼ିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ କୋଭିଡ୍ ଯୋଗୁଁ ପରିବାର ଲୋକ ଏତେ ଦୂରରୁ ଶବ ଆଣିବା ସମ୍ଭବ ନଥିଲା । କୋଭିଡ୍ ଆଳରେ କମ୍ପାନୀ ମଧ୍ୟ ଶବ ଆଣିଦେବାରେ ସହଯୋଗ କଲାନି । ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ତରଫରୁ ସେଠାରେ ଶବକୁ ପୋତିଦିଆଗଲା । ସେତେବେଳେ କମ୍ପାନୀ ତରଫରୁ ମୃତକଙ୍କ ସ୍ତ୍ରୀ ଶୁଭ ବେୱାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା । ଘଟଣା ଘଟିବା ୭ ମାସ ବିତିଯାଇଥିଲେ ବି ସମ୍ପୃକ୍ତ କମ୍ପାନୀ କ୍ଷତିପୂରଣ ଦେବାକୁ କୌଣସି ଆଗ୍ରହ ଦେଖାଉ ନାହିଁ । ଅପରପକ୍ଷରେ କମ୍ପାନୀ ତରଫରୁ ଦିଆଯାଇଥିବା ନମ୍ବରରେ ଫୋନ୍ କଲେ ଫୋନ୍ ରିସିଭ୍ କରୁନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । ପରିବାରର ଏକମାତ୍ର ରୋଜଗାରକ୍ଷମ ପୁରୁଷକୁ ହରାଇ ବେସାହାରା ଶୁଭ ବେୱା । କୋଳରେ ଦୁଇଟି ଛୁଆ । ଜଣେ ଦେଢ଼ ବର୍ଷର ଓ ଆର ଜଣକ ପାଞ୍ଚ ବର୍ଷର । ରୋଜଗାରିଆ ସ୍ୱାମୀ ମଲା ପରେ କେମିତି ଦୁଇ ଛୁଆର ଲାଳନପାଳନ କରିବେ ସେ ଚିନ୍ତାରେ ଏବେ ଶୁଭ ବେୱା । ଏନେଇ ସେ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ମୁତାବକ କମ୍ପାନୀ କ୍ଷତିପୂରଣ ରାଶି ଦେବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking