29.1 C
Bhubaneswar
Friday, May 24, 2024
Homeଓଡିଶାଭୁବନେଶ୍ୱରଆନ୍ଧ୍ର ସରକାରଙ୍କ ଚାଲ୍‌କୁ ଓଡ଼ିଶା ସରକାର ବୁଝିବା ଦରକାର: ବିଶେଷଜ୍ଞ

ଆନ୍ଧ୍ର ସରକାରଙ୍କ ଚାଲ୍‌କୁ ଓଡ଼ିଶା ସରକାର ବୁଝିବା ଦରକାର: ବିଶେଷଜ୍ଞ

ଭୁବନେଶ୍ୱର: ଓଡ଼ିଶାର ଜଳ ବିଦ୍ୟୁତ୍ ଫାଇଦା ନେଉଛି ଆନ୍ଧ୍ର । ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହେଲେ ତାହା ସତ । କୋରାପୁଟ୍ ଜିଲ୍ଲାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପିତ ହୋଇଛି । ଦୀର୍ଘ ବର୍ଷରୁ ଆନ୍ଧ୍ରପ୍ରଦେଶ କୌଶଳକ୍ରମେ ପ୍ରକଳ୍ପର ସିଂହଭାଗ ବିଦ୍ୟୁତ୍ ହାତେଇ ନେଇଛି । ଏହି ପଡ଼ୋଷୀ ରାଜ୍ୟର ଦୀର୍ଘମିଆଦୀ ଚାଲ୍‌କୁ ଓଡ଼ିଶା ଏବେ ବି ବୁଝିଲା ଭଳି ମନେ ହେଉନି । ନିଜ ହକ୍ ପାଇଁ ଯେତିକି ଗୁରୁତ୍ୱ ଦେବା କଥା ସେତିକି କରାଯାଉ ନଥବା ଅଭିଯୋଗ ହୋଇଛି । ତେଣୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ କାରସାଦିକୁ ବୁଝି ତୁରନ୍ତ ଜରୁରୀ ପଦକ୍ଷେପ ନିଅନ୍ତୁ ବୋଲି ଶକ୍ତି ସମୀକ୍ଷକ ମତ ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମ୍ପଟାପୁଟ ବ୍ଲକ୍‌ର ଡୁଡୁମା ଜଳପ୍ରପାତ ନିକଟରେ ଅବସ୍ଥାପିତ ହୋଇଛି ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ । ଜୟପୁର ମହାରାଜା ଶ୍ରୀରାମଚନ୍ଦ୍ର ଦେବ-୪ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବାହିତ ମାଛକୁଣ୍ଡ ନଦୀ ଉପରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଟା କରିବା ପାଇଁ ୧୯୨୮ରେ ପରିକଳ୍ପନା କରିଥିଲେ । ଏହାର ଦୁଇବର୍ଷ ପରେ ଅର୍ଥାତ ୧୯୩୦ରେ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ପାଣ୍ଠି ଅଭାବରୁ ତାହା ବିଳମ୍ବିତ ହୋଇଥିଲା । ୧୯୪୫ରେ ତାହା ପୂର୍ଣ୍ଣ ରୂପ ନେଲା । ଓଡ଼ିଶା ସୀମାରେ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ୬ ୟୁନିଟ୍ ବିଶିଷ୍ଟ ୧୨୦ ମେଗାୱାଟ୍ ଜଳବିଦ୍ୟୁତ୍ କାର୍ଯ୍ୟ ଆରମ୍ଭ ହେଲା । ପ୍ରକଳ୍ପର ପ୍ରଥମ ୟୁନିଟ୍‌ରୁ ୧୯୫୫ରେ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବା ସହ ୧୯୫୯ ମସିହା ଭିତରେ ୬ଟି ଯାକ ୟୁନିଟ୍ କାର୍ଯ୍ୟକ୍ଷମ ହୋଇ ୧୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହେଲା । ପ୍ରକଳ୍ପର ଜଲାପଟା ଜଳଭଣ୍ଡାର ଓ ଶକ୍ତି ଉତ୍ପାଦନ କେନ୍ଦ୍ର ଓଡ଼ିଶା ମାଟିରେ ଥିଲେ ହେଁ ତତ୍କାଳୀନ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀତା ଯୋଗୁଁ ଏହାର ନ୍ୟାର୍ଯ୍ୟ ଅଧିକାର ରାଜ୍ୟ ପାଇବାରୁ ବଞ୍ଚିତ ହେଲା । କାରଣ ପ୍ରକଳ୍ପରେ ସେତେବେଳେ ୧୮ କୋଟି ଟଙ୍କା ଖର୍ଚ୍ଚ କରଯାଇଥିଲା । ସେତେବେଳର ଆନ୍ଧ୍ର ସରକାର ଆର୍ଥିକ ଦୁଃସ୍ଥିତିରେ ଥିବା ଓଡ଼ିଶାକୁ ପ୍ରଲୋଭିତ କରି ୧୨ କୋଟି ଟଙ୍କା ବହନ କରିବେ ବୋଲି ଘୋଷଣା କଲେ । ପରେ ତାହା ବି ହେଲା । ଏଇଠୁ ଆରମ୍ଭ ହେଲା ଅନୁପ୍ରବେଶର ଅୟମାରମ୍ଭ । ପ୍ରକଳ୍ପ ପାଇଁ ଓଡ଼ିିଶା ମାତ୍ର ୬ କୋଟି ଟଙ୍କା ବହନ କରିଥିଲା । ନିଷ୍ପତ୍ତି ଅନୁସାରେ ପ୍ରକଳ୍ପରୁ ନ୍ୟାର୍ଯ୍ୟ ଭାଗ ହରାଇ ଆନ୍ଧ୍ର ହାତକୁ ଓଡ଼ିିଶା ୭୦% ହିସାବରେ ୮୪ ମେଗାୱାଟ୍ ବିଦ୍ୟୁତ୍ ଟେକି ଦେଲା । ଓଡ଼ିଶା ହାତରେ ରହିଥିଲା ମାତ୍ର ୩୦%, ଅର୍ଥାତ ୩୬ ମେଗାୱାଟ ବିଦ୍ୟୁତ୍ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୧୯୫୯ରୁ ୨୦୦୮ ପର୍ଯ୍ୟନ୍ତ ପଚାଶ ବର୍ଷ ଧରି ଆନ୍ଧ୍ର ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପରୁ ସିଂହଭାଗ ବିଦ୍ୟୁତ ଶକ୍ତି ବ୍ୟବହାର କରିଆସୁଥିଲା । ହଠାତ୍ ଓଡ଼ିଶା ସରକାର ୨୦୦୮ରେ ତାର ସମୀକ୍ଷା କରିବାକୁ ଚାହିଁଲା । ପରେ ସମୀକ୍ଷା ବି ହେଲା । ବହୁ ତର୍ଜମା ଓ ବିବାଦ ପରେ ଆନ୍ଧ୍ର ସରକାର ଦୟାରେ ୨୦% ଅର୍ଥାତ ୨୪ ମେଗାୱାଟ୍ ବିଦ୍ୟୁତ ଛାଡ଼ିଦେବ ବୋଲି ମାନିଲା । ହେଲେ ସେହି ବିଦ୍ୟୁତ୍ ଦେବାକୁ ଆନ୍ଧ୍ର ସରକାର ଚାଲ୍ ଖେଳିଲେ । ଆଲୋଚନାର ଦୁଇ ବର୍ଷ ପରେ ଆନ୍ଧ୍ର ଅଧିକ ଅର୍ଥ ଦାବି କଲା । ଫଳରେ ରାଜ୍ୟ ସରକାର ୨୦୨୦ରେ ଓଡ଼ିଶା ୨୭ କୋଟି ଟଙ୍କା ଆନ୍ଧ୍ରକୁ ପଇଠ କରି ଉକ୍ତ ୨୦% ବିଦ୍ୟୁତ୍ ହାତେଇଲେ । ହିସାବକଲେ ମାଛକୁଣ୍ଡ ପ୍ରକଳ୍ପରୁ ଓଡ଼ିଶା ୫୦% ହିସାବରେ ୬୦ ମେଗାୱାଟ ବିଦ୍ୟୁତ୍ ପାଉଛି । ଆନ୍ଧ୍ର ବିନା କାରଣରେ ଆମ ରାଜ୍ୟର ବିଦ୍ୟୁତ ପ୍ରକଳ୍ପରୁ ଅଧା ମୋଗାୱାଟ୍ ବିଦ୍ୟୁତ୍ ନେଇଯାଉଛି ।
ଓଡ଼ିଶାର ପାଣି, ଭୂମି ଓ ଜଙ୍ଗଲ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ବ୍ୟବହାର ହୋଇଥିଲେ ବି କାହିଁକି ରାଜ୍ୟ ଏହାର ସୁଫଳ ଉଠାଇ ପାରିଲା ନାହିଁ ତାହା ହିଁ ବଡ଼ ପଶ୍ନ । ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଉଦାସୀନତା ପାଇଁ ପଚାଶ ବର୍ଷ ଧରି ମାଛକୁଣ୍ଡ ପ୍ରକଳ୍ପରୁ ଆନ୍ଧ୍ର ଫାଇଦା ଉଠାଇଛି । ଦୀର୍ଘ ବର୍ଷ ଧରି ୩୦% ବିଦ୍ୟୁତ୍ ପାଇବା ଏବଂ ପ୍ରଚୁର ଅର୍ଥ ପଇଠ କରି ଆଉ ୨୦% ପାଇବା ଆଶ୍ଚର୍ଯ୍ୟର ବିଷୟ । ଓପିଟିସିଏଲ ବିଦ୍ୟୁତ୍ ସରବରାହ ସଂସ୍ଥା ରାଜ୍ୟ ସରକାରଙ୍କ ଅଧୀନରେ ରହିବି ଆବଶ୍ୟକୀୟ ସରାବରହ ଲାଇନ ସ୍ଥାପନ କରିପାରିଲେ ନାହିଁ । ତାହା ହିଁ ବିଡ଼ମ୍ବନା । ଏହି ବିଫଳତାକୁ ଶକ୍ତି ସମୀକ୍ଷକ ଓ ବିଶେଷଜ୍ଞମାନେ ଟାରିଫ୍ ଜନଶୁଣାଣୀ ସମୟରେ ଓଇଆର୍‌ସି ନିକଟରେ ବାରମ୍ବାର ଉପସ୍ଥାପନ କରାଯାଇଥିଲେ ହେଁ ସଂପୃକ୍ତ ସଂସ୍ଥା ଏହାକୁ ଗୁରୁତ୍ୱ ଦେଇନାହାନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶର ଚାଲ ଆଗ ବୁଝିବା ଦରକାର । ସେହି ରାଜ୍ୟରେ ସରକାର ବଦଳୁଥିଲେ ବି ରଣନୀତି ବଦଳିନାହିଁ । ଓଡ଼ିଶା ମାଟିରେ ସ୍ଥାପିତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରର ପରିଚାଳନା ଭାର ଆନ୍ଧ୍ର ସରକାର ହାତେଇବାରେ ସଫଳ ହେବାପରେ ଏବେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍‌ରେ ଥିବା ଖଣି ଖଦାନ ଭରା କୋଟିଆ ଅଞ୍ଚଳର ୨୮ଟି ଗ୍ରାମକୁ ନିଜ ଅଧିନକୁ ନେବା ପାଇଁ ଯୋଜନା କରିଛି । ନିକଟରେ ଆନ୍ଧ୍ର ସରକାର ଜିଲ୍ଲା ପୁନର୍ଗଠନ କରି ୨୬କୁ ବି ବୃଦ୍ଧି କରିଛନ୍ତି । ନୂତନ ଭାବେ ଗଠିତ ପାର୍ବତିପୂରମ ଜିଲ୍ଲାରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳର ୨୮ଟି ଗ୍ରାମକୁ ଆନ୍ଧ୍ର ମ୍ୟାପରେ ଅନ୍ତର୍ଭୁକ୍ତ କରିଛନ୍ତି । ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ଦୋଷ ଓ ଦୁର୍ବଳତାକୁ ଆନ୍ଧ୍ର ଶାସନକଳ ସଠିକ୍ ଭାବେ ଠଉରାଇ ପୁରୁଣା ଯୋଜନା କୋଟିଆକୁ ହାତେଇବା ଉଦ୍ୟମ କରିଛନ୍ତି । ତେଣୁ ଓଡ଼ିଶା ସରକାର ନେଡ଼ିଗୁଡ଼ କହୁଣୀକୁ ବୋହି ନଯିବା ପୂର୍ବରୁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking