ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନରେ ଖର୍ଚ୍ଚ କରିପାରିବେ। ଏହାଠାରୁ ଅଧିକ ଖର୍ଚ୍ଚ କଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇପାରେ।ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ନିର୍ବାଚନୀ ଖର୍ଚ୍ଚର ହିସାବ ଦାଖଲ କରିବାକୁ ପଡ଼ିବ। ଏହି ହିସାବ ସମ୍ପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ। ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଖର୍ଚ୍ଚର ବିବରଣୀକୁ କଲେଜ କର୍ତ୍ତୃପକ୍ଷ ଦୁଇ ଦିନ ମଧ୍ୟରେ HIMS Portalରେ ପ୍ରକାଶ କରିବେ।
ନିର୍ବାଚନୀ ଖର୍ଚ୍ଚରେ ସ୍ୱଚ୍ଛତା ରକ୍ଷା ପାଇଁ ଅର୍ଥର ଉତ୍ସକୁ ନେଇ ମଧ୍ୟ କଡ଼ା ନିୟମ ରହିଛି। କୌଣସି ରାଜନୈତିକ ଦଳଠାରୁ ଟଙ୍କା କିମ୍ବା ଆର୍ଥିକ ସହାୟତା ଗ୍ରହଣ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରାର୍ଥୀମାନେ କେବଳ ସ୍ୱେଚ୍ଛାକୃତ ଅବଦାନ ମାଧ୍ୟମରେ ଅର୍ଥ ସଂଗ୍ରହ କରିପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ଟଙ୍କା ଗ୍ରହଣ କରିବାକୁ ଅନୁମତି ନାହିଁ।
ନିର୍ଦ୍ଧାରିତ ୫ ହଜାର ଟଙ୍କା ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ନିର୍ବାଚନ ବାତିଲ ହେବାର ସମ୍ଭାବନା ରହିଛି। ଫଳରେ ପ୍ରାର୍ଥୀମାନଙ୍କୁ ପ୍ରଚାର ସମୟରେ ଖର୍ଚ୍ଚର ହିସାବ ରଖିବା ସହ ନିର୍ଦ୍ଧାରିତ ସୀମା ମଧ୍ୟରେ ରହିବାକୁ ପଡ଼ିବ।ଏଭଳି ନିୟମ ମାଧ୍ୟମରେ ଛାତ୍ର ସଂସଦ ନିର୍ବାଚନରେ ଅର୍ଥବଳର ପ୍ରଭାବ ହ୍ରାସ କରି ସ୍ୱଚ୍ଛ ଓ ଶୃଙ୍ଖଳିତ ନିର୍ବାଚନ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି।










