ନୂଆଦିଲ୍ଲୀ: ମୁଲାନପୁରରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଧିମା ଓଭର ହାର ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଜରିମାନା କରାଯାଇଛି। ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଏବଂ ୱେଷ୍ଟଇଣ୍ଡିଜ୍କୁ ୧୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ସମୟ ରିହାତିକୁ ବିଚାରକୁ ନେବା ପରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ସମୟ ସୁଦ୍ଧା ଦୁଇ ଓଭର ଏବଂ ଭାରତ ଚାରି ଓଭର ପଛରେ ଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଭ୍ରମଣକାରୀ ଦଳର ୧୦ ପ୍ରତିଶତ ଓ ଘରୋଇ ଦଳର ୨୦ ପ୍ରତିଶତ ମ୍ୟାଚ୍ଫି କଟାଯାଇଛି।
ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ମ୍ୟାଚ୍ ରେଫରି ପ୍ରକାଶ ଭଟ୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ପ୍ରତ୍ୟେକ ଓଭର ବୋଲିଂ କରିନପାରିଲେ ପ୍ରତି ଓଭର ପାଇଁ ଅତିକମରେ ମ୍ୟାଚ୍ ଫି’ର ୫ ପ୍ରତିଶତ ଜରିମାନା ଆଦାୟ ହୁଏ। ଅମ୍ପାୟାର ଜୟରାମନ ମଦନଗୋପାଳ, ସାମ୍ ନୋଗାଜସ୍କି, ଶରଫୁଦ୍ଦୌଲା ଓ ବୀରେନ୍ଦ୍ର ଶର୍ମା ଏହି ଅଭିଯୋଗ ଆଣିଥିଲେ। ଅଧିନାୟକ ଶୁବମନ ଗିଲ୍ ଓ ସାଇ ହୋପ୍ ଦଣ୍ଡକୁ ଗ୍ରହଣ କରିଥିବାରୁ ଔପଚାରିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।










