ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଓ ଯୌବନକୁ ଲଗାଇ ବଳିଦାନ ଦେଇଥିବା ବୀରମାନଙ୍କ ତ୍ୟାଗ ଆମକୁ ସବୁବେଳେ ଆତ୍ମବିଶ୍ୱାସ ଓ ପ୍ରେରଣା ଯୋଗାଇବ। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବନବାସୀ ଅଞ୍ଚଳର ସଂଗ୍ରାମୀ ତଥା ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ। ଶହୀଦ ଲକ୍ଷ୍ମଣ ନାୟକ ବନବାସୀ ଅଞ୍ଚଳରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଥିଲେ। ପ୍ରତିକୁଳ ପରିସ୍ଥିତିରେ ଜଙ୍ଗଲ ଜଙ୍ଗଲ ବୁଲି ଲୋକଙ୍କୁ ସଂଗଠିତ କରି ଆନ୍ଦୋଳନ ଜରିଆରେ ଇଂରେଜମାନଙ୍କୁ ଥରହର କରିଦେଉଥିଲେ ।
ଇଂରେଜମାନଙ୍କ ଦ୍ୱାରା କାରାବରଣ କରିବା ସତ୍ତ୍ୱେ ସେ ପଛଘୁଞ୍ଚା ଦେଇ ନଥିଲେ ଏବଂ ଶେଷରେ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ବୀରଗତି ପ୍ରାପ୍ତ କରିଥିଲେ। ପରାଧୀନ ଭାରତରେ ଯେତେବେଳେ ଅଳ୍ପ କିଛି ଲୋକ ସଂଗ୍ରାମର ଶିଖାରେ ନିଜକୁ ସମର୍ପିତ କରୁଥିଲେ, ସେମାନଙ୍କ ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକ ଥିଲେ ଅନ୍ୟତମ। ଶହୀଦ ଲକ୍ଷ୍ମଣ ନାୟକ ଆଜି ଓ ଆଗାମୀ ଶହ ଶହ, ହଜାର ହଜାର ବର୍ଷ ଧରି ଆମ ହୃଦୟ ଓ ମନରେ ପୂଜ୍ୟ ହୋଇ ରହିବେ। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ପ୍ରମୁଖ କେନ୍ଦ୍ରବିନ୍ଦୁ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ତାଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ସଚିବାଳୟ ନିକଟସ୍ଥ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ଯୌବନକୁ ଉତ୍ସର୍ଗ କରିଥିବା ସମସ୍ତ ବୀର ସଂଗ୍ରାମୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ସ୍ମରଣ କରିଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।










