29.1 C
Bhubaneswar
Sunday, November 22, 2026
Homeଓଡିଶାରାଜ୍ୟ ସରକାର ନିଜ ବିଫଳତାକୁ ଲୁଚାଇବାକୁ ଅପ୍ରସଙ୍ଗର ସାହାରା ନେଉଛନ୍ତି: ବିଜେଡି

ରାଜ୍ୟ ସରକାର ନିଜ ବିଫଳତାକୁ ଲୁଚାଇବାକୁ ଅପ୍ରସଙ୍ଗର ସାହାରା ନେଉଛନ୍ତି: ବିଜେଡି

ସରକାର ନିଜ ଜାଲରେ ନିଜେ ଛନ୍ଦି ହେବାକୁ ପୁଣି ଏକ ତଦନ୍ତ ବାହାନା କରିଛନ୍ତି
ବିଚଳିତ ହୋଇ ଯାଇଛନ୍ତି ରାଜ୍ୟ ସରକାର
ବନ୍ୟା ବିଭୀଷିକା ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପ୍ରୟାସ
ପୂର୍ବରୁ ମିଛ ଅପପ୍ରଚାର କରି ତଦନ୍ତ ପରେ ନିଜେ କ୍ଲିନଚିଟ୍ ଦେଇଛି ବିଜେପି ସରକାର

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ବିଭୀଷିକାକୁ ନେଇ ବିଧାନସଭାରେ ବିସ୍ତୃତ ଆଲୋଚନା କଥା ଶୁଣି ରାଜ୍ୟ ସରକାର ବିଚଳିତ ହୋଇ ଯାଇଛନ୍ତି । ଉକ୍ତ ପ୍ରସଙ୍ଗକୁ ଲୁଚାଇବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ତଦନ୍ତ ବାହାନା କରୁଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ଗୌତମବୁଦ୍ଧ ଦାସ ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ତକ୍ରାଳୀନ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ବିଜେଡି ପକ୍ଷରୁ ଉକ୍ତ ତଦନ୍ତକୁ ସ୍ୱାଗତ କରାଯାଉଛି । ବର୍ତ୍ତମାନ ସମୟରେ ବନ୍ୟା ଓ ବାତ୍ୟା ସ୍ଥିତି ନେଇ ରାଜ୍ୟ ସାରା ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଡବଲ ଇଞ୍ଜିନ ସରକାର ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ପରିଚାଳନାରେ ବିଫଳ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟୟର ବିଭୀଷିକାକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଉକ୍ତ ପ୍ରସ୍ତାବରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିନାହାଁନ୍ତି । ବନ୍ୟା ବିଭୀଷିକାର ବିସ୍ତୃତ ଆଲୋଚନା ହେଲେ ରାଜ୍ୟ ସରକାରଙ୍କ ସବୁ ପୋଲ ଖୋଲିଯିବ । ଲୋକେ ସବୁ ଜାଣି ଯିବେ ବୋଲି ରାଜ୍ୟ ସରକାର ବିଚଳିତ ହୋଇ ଯାଇଛନ୍ତି । ଆଇନଶୃଙ୍ଖଳା, ଭତ୍ତା ବଣ୍ଟନ, ବନ୍ୟା ପରିଚାଳନା ଆଦି ଅନେକ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତଦନ୍ତ ପରି ଏକ ଅପ୍ରସଙ୍ଗର ଉପସ୍ଥାପନା କରିଛନ୍ତି । ପୂର୍ବରୁ ମଧ୍ୟ ୩ଟି ପ୍ରସଙ୍ଗରେ ତଦନ୍ତ କରିଥିଲେ । କିନ୍ତୁ ତଦନ୍ତରେ କୌଣସି ଭୁଲ ତ୍ରୁଟି ପାଇଲେନି । ନିର୍ବାଚନ ପୂର୍ବରୁ ବିଜେପିର ନେତୃବୃନ୍ଦ ଓଡ଼ିଶା ଆସି ମହାପ୍ରଭୁ ରତ୍ନ ଭଣ୍ଡାର ଲୁଟି ତାମିଲନାଡୁ ଚାଲି ଯାଇଛି ବୋଲି ମିଛ ପ୍ରଚାର କରିଥିଲେ । ଓଡ଼ିଶା ବାସୀଙ୍କୁ ଭୁଅାଁ ବୁଲାଇ ଭୋଟ ନେବା ପରେ ସେହି ବିଜେପି ସରକାର ତଦନ୍ତ କରି କ୍ଲିନଚିଟ୍ ପ୍ରଦାନ କରିଛନ୍ତି । ରତ୍ନ ଭଣ୍ଡାର ଗଣତି ମଣତି କରିବା ପରେ ସବୁ ରତ୍ନ ସୁରକ୍ଷିତ ଅଛି ବୋଲି ରାଜ୍ୟ ସରକାର ନିଜେ କହିଛନ୍ତି । ସେହିପରି ତକ୍ରାଳୀନ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଉଡାଣ ନେଇ ପୁଣି ମିଛ ଅପ ପ୍ରଚାର କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଲୋକଙ୍କ ସମସ୍ୟା ବୁଝିବା ପାଇଁ କିଛି ଅଞ୍ଚଳକୁ ଯାଇଥିଲେ । ରାଜ୍ୟ ସରକାର ମିଛ କରିଥିବା ପ୍ରମାଣିତ ହୋଇଛି । ରାଜ୍ୟ ସରକାର ତଦନ୍ତ କରିଲେ । ତାହାକୁ ନେଇ କୋର୍ଟ କ୍ଲିନଚିଟ୍ ପ୍ରଦାନ କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗ କନ୍ଧମାଳରେ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାରେ ତଦନ୍ତ ରିପୋର୍ଟ ଫାଇଲ ଗାଏବ ନେଇ । ବିଜେପି ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଫାଇଲ ଗାଏବ ନେଇ ଦୋଷ ନିଜ ମୁଣ୍ଡରୁ ହଟାଇବାକୁ ତକ୍ରାଳୀନ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ଟାଣିଥିଲେ । ନିଜ ଦୋଷ ତ୍ରୁଟିକୁ ଲୋକ ଲୋଚନରୁ ଲୁଚାଇବା ପାଇଁ ବାରମ୍ବାର ପୂର୍ବର ବିଜେଡି ସରକାରଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି । ଏତେ ପରେ ବି ମନ ମାନିଲା ନାହିଁ ଯେ ରାଜ୍ୟ ସରକାର ନିଜ ଜାଲରେ ନିଜେ ଛନ୍ଦି ହେବାକୁ ପୁଣି ଏକ ତଦନ୍ତ ବାହାନା ଆରମ୍ଭ କରି ଦେଇଛନ୍ତି । ଯାହାକି ଅତି ହାସ୍ୟାସ୍ପଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ବାରମ୍ବାର ତଦନ୍ତ ଭିତରକୁ ଟାଣିବାକୁ ପ୍ରଚେଷ୍ଟା କରୁଛନ୍ତି । ସେ ଜଣେ ଷ୍ଟେଟ୍ସମ୍ୟାନ, ତାଙ୍କୁ କାଠଗଡାକୁ ଟାଣିବା ପ୍ରୟାସ କରିବା ପାହାଡକୁ ପଥର ଫିଙ୍ଗିବା ସହ ସମାନ । ସେ ଯୁବାବସ୍ଥାରୁ ଜଣେ ଲେଖକ ଭାବେ ବିଶ୍ୱର ବିଭିନ୍ନ ଦେଶ ଅନେକ ବାର ଭ୍ରମଣ କରିଛନ୍ତି । ରାଜ୍ୟବାସୀଙ୍କ ଅର୍ଥରେ ବିଦେଶ ବୁଲିବାର ସଉକ ତାଙ୍କର ନାହିଁ । ତାହା ଜାଣି ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ସେ ଓଡ଼ିଶାର ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସରକାରୀ ଭାବେ ମାତ୍ର ଦୁଇଥର ବିଦେଶ ଗସ୍ତ କରିଥିଲେ ।

ନିମନ୍ତ୍ରଣ କ୍ରମେ ଜୁଲାଇ ୨୦୨୨ରେ ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦାରିଦ୍ର୍ୟ ହ୍ରାସ, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ସଫଳତାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ । ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦୁବାଇ ଯାଇଥିଲେ । ବିଦେଶୀ ପୁଞ୍ଜିପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପପତି ମିଟ୍ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । ଯେଉଁଥିରେ କି ବହୁ ବଡ଼ ଅନ୍ତର୍ଜାତୀୟ ଶିଳ୍ପ ପ୍ରତିଷ୍ଠାନର ଓଡ଼ିଶାରେ ନିବେଶ ପାଇଁ ପ୍ରାୟ ୨୧, ୦୦୦କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିଲେ । ଏପ୍ରିଲ ୨୦୨୩ରେ ଦ୍ୱିତୀୟ ଥର ପାଇଁ ଐତିହାସିକ ବିଦେଶ ଗସ୍ତରେ ଯାଇଥିଲେ । ଜାପାନ ଗସ୍ତରେ ଯାଇ ବିଶ୍ୱର ଶ୍ରେଷ୍ଠ ଷ୍ଟିଲ କମ୍ପାନୀ ନିପ୍ପନ ଷ୍ଟିଲଙ୍କୁ ଭେଟିଥିଲେ । ତାଙ୍କ ମୁଖ୍ୟଙ୍କୁ ଭେଟି ଓଡ଼ିଶାରେ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲଙ୍କୁ ମିଳିତ ଭାବେ ପୁଞ୍ଜି ନିବେଶ ପ୍ରସ୍ତାବ ଦେଇଥିଲେ । ବଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରକଳ୍ପ ଓଡ଼ିଶାକୁ ଆସିବାର ପଥ ପ୍ରଶସ୍ତ ହୋଇଥିଲା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଣେ ସରଳ ବ୍ୟକ୍ତି ଅଟନ୍ତି । ସେ ତାଙ୍କ ଜୀବନର ସମସ୍ତ ପ୍ରକାର ବିଳାସ ବ୍ୟସନ ତ୍ୟାଗ କରି ରାଜନୈତିକ ସନ୍ୟାସୀ ଭାବେ ଜନ ସେବା କରୁଛନ୍ତି । ତାଙ୍କ ଉପରକୁ ରାଜ୍ୟ ସରକାର ଆଙ୍ଗୁଳି ଦେଖାଇବା ପୂର୍ବରୁ ନିଜକୁ ନିରକ୍ଷଣ କରନ୍ତୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅପମାନିତ କରିବା ପାଇଁ ଯେଉଁ ହିନ ପ୍ରୟାସ କରିଛନ୍ତି, ତାହାକୁ ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ଗତ ଅଢେଇ ବର୍ଷ ମଧ୍ୟରେ ଅନେକ ବିଫଳତା ରହିଛି ଯାହାର ତଦନ୍ତ କରିବେ ବୋଲି ରାଜ୍ୟ ସରକାର କହିଥିଲେ । ତେବେ ତାହାର ତଦନ୍ତ ରିପୋର୍ଟ କୁଆଡ଼େ ଗଲା । ଉକ୍ତ ଘଟଣାର ମଧ୍ୟ ରାଜ୍ୟ ସରକାର ତୁରନ୍ତ ତଦନ୍ତ କରନ୍ତୁ ବୋଲି କହିଛନ୍ତି ।

ସେହିପରି ଡ ମହାନ୍ତି କହିଛନ୍ତି ଯେ, ବିଜେପି ନେତା ଓଡ଼ିଶା ବାସୀଙ୍କୁ ଅନେକ ମିଛ କଥା କହି ରାଜ୍ୟରେ ସରକାର ଗଢ଼ିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ତାଙ୍କ ତକ୍ରାଳୀନ ବ୍ୟକ୍ତିଗତ ସଚିବ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ଆକ୍ଷେପ କରିଲେ । ତାହାକୁ ନେଇ ଲୋକଙ୍କୁ ଭୁଅାଁ ବୁଲାଇ ଭୋଟ ହାତେଇଲେ । ସରକାର ଗଠନ କରିବା ପରେ ରାଜ୍ୟବାସୀଙ୍କୁ ପ୍ରତି କ୍ଷେତ୍ରରେ ଉପେକ୍ଷିତ କରୁଛନ୍ତି । ପୂର୍ବ ଯୋଜନା ମୁତାବକ ବିଜେପି ସରକାର ମିଛ କହି ଲୋକଙ୍କୁ ଭ୍ରମିତ କରିବା ଜାରି ରଖିଛନ୍ତି । ପୁଣି ମିଛ କହି ତଦନ୍ତ ବାହାନା ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ମିଛ କହି ତଦନ୍ତ ପ୍ରକ୍ରିୟା କରିଲେ, କିନ୍ତୁ ଫଳାଫଳରେ ସେହି ରାଜ୍ୟ ସରକାର କ୍ଲିନଚିଟ ପ୍ରଦାନ କରିଛନ୍ତି । ବିଜେପି ସରକାରଙ୍କ ଅସଲ ମୁଖା ଲୋକେ ଜାଣି ସାରିଲେଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ରାଜ୍ୟ ସରକାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ବିଜେପି ସରକାର ପୂର୍ବରୁ ରତ୍ନ ଭଣ୍ଡାର ଚାବି ହଜିବା, ହେଲିକ୍ୟାପ୍ଟର ଉଡାଣ ଓ ସ୍ୱାମୀ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ଫାଇଲ ଗାଏବ କରିବା ଆଦି ଘଟଣା ତଦନ୍ତ କରି ଶେଷରେ କିଛି ପାଇଲେ ନାହିଁ । ଏବେ ପୁଣି ନୂଆ ତଦନ୍ତ ବାହାନା ଆରମ୍ଭ କରିଛନ୍ତି । ବିଜେପି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ ବୋଲି ଜଣାପଡୁଛି । ବିଜେପି ଭଳି ଏକ ବିଚିତ୍ର ସରକାରରେ ଅନେକ ତ୍ରୁଟି ବିଚ୍ୟୁତି ରହିଛି । ତାହାର ତଦନ୍ତ ନକରି ଅନେକ ମିଛ ତଦନ୍ତ କରୁଛନ୍ତି । ତେବେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଦୃଷ୍ଟିରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଥର ବିଦେଶ ଗସ୍ତ ଏବଂ ଉପ ମୁଖ୍ୟମନ୍ତ୍ରୀ, କ୍ୟାବିନେଟର ମନ୍ତ୍ରୀ ଗଣ, ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ବିଦେଶକୁ ନିଜ ପରିବାର ସହ ଉପ ମୁଖ୍ୟମନ୍ତ୍ରୀ ଗସ୍ତରେ ଯାଇଥିବା ବେଳେ କେଉଁ କାରଣରୁ ଯାଇଥିଲେ ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱଚ୍ଛ ଅଛନ୍ତି । ଯେତେ ତଦନ୍ତ କରିଲେ ବି ଆମେ ସ୍ୱାଗତ କରିବୁ । କିନ୍ତୁ ବିଜେପି ସରକାର ନିଜ ଆଡକୁ ଆଙ୍ଗୁଳି କରି ତଦନ୍ତ କରୁ । କିଏ କେତେ ସ୍ୱଚ୍ଛ ବୋଲି ଲୋକ ଲୋଚନକୁ ଆସିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶାସନ ଗାଦିକୁ ଆସିବା ପୂର୍ବରୁ ଅନେକ ବାର ବିଦେଶ ବୁଲି ଦେଖିଛନ୍ତି । ଅତି ସରଳ ଜୀବନ ଯାପନ କରନ୍ତି । ବର୍ତ୍ତମାନର ରାଜ୍ୟ ସରକାରରେ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଅନ୍ୟ ସଚିବ ମାନେ ବାରମ୍ବାର ବିଦେଶ ଗସ୍ତ କରିଛନ୍ତି । ତେବେ ତାହାକୁ ନେଇ ଓଡ଼ିଶାକୁ କେଉଁ ସୁଫଳ ମିଳିଲା, ରାଜ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଶିଳ୍ପ ସଚିବ ତଥା ଗୃହ ସଚିବ ଦାୟିତ୍ୱରେ ଥିବା ଶ୍ରୀ ହେମନ୍ତ ଶର୍ମାଙ୍କ ଭୂମିକା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାପାନ ଗସ୍ତ ଯୋଗୁଁ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ୍ ପ୍ରକଳ୍ପ ଓଡ଼ିଶାକୁ ଆସିଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ, ଯାହାକୁ ବର୍ତ୍ତମାନର ମୋହନ ମାଝୀ ସରକାର ଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଗଞ୍ଜାମରେ ମନୁଷ୍ୟକୃତ ବନ୍ୟା ବିଭୀଷିକା ବେଳେ ତାହାକୁ ଲୁଚାଇବାକୁ ତଦନ୍ତ ବାହାନା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଅର୍ଥନୀତିକ ଅଭିବୃଦ୍ଧି କରାଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ଗସ୍ତରେ ଗଲେ ତାରକା ହୋଟେଲରେ ରହୁଛନ୍ତି । କିନ୍ତୁ ରାଜ୍ୟବାସୀଙ୍କୁ ଭତ୍ତା ଦେବାକୁ ଟଙ୍କା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଏବେର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ଖର୍ଚ୍ଚ ତର୍ଜମା କରାଯାଉ । କିଏ ଅଧିକ ଗସ୍ତ ଖର୍ଚ୍ଚ କରିଛନ୍ତି ବୋଲି ସ୍ପଷ୍ଟ ହୋଇଯିବ । ଡବଲ ଇଞ୍ଜିନ ସରକାର ଯେତେବେଳେ ନିଜେ ଅଡୁଆରେ ପଡ଼ନ୍ତି, ସେତେବେଳେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଥାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ତାଙ୍କର ତକ୍ରାଳୀନ ବ୍ୟକ୍ତିଗତ ସଚିବ ଶ୍ରୀ ଭିକେ ପାଣ୍ଡିଆନ ବିରୋଧରେ ବାରମ୍ବାର ତଦନ୍ତ କରି ଗୋଟେ ପ୍ରମାଣିତ କରି ପାରିଲେ ନାହିଁ । ରାଜ୍ୟ ସରକାର ପୁଣି ଏକ ତଦନ୍ତ କରିବେ । ବିଜୁ ଜନତା ଦଳ ଉକ୍ତ ତଦନ୍ତକୁ ସ୍ୱାଗତ କରିଛି । ଲୋକଙ୍କ ସବୁ କିଛି ଜାଣିବାର ଅଧିକାର ରହିଛି ଏବଂ ବିଜେଡି ସବୁବେଳେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ନୀତିରେ ବିଶ୍ୱାସ କରିଆସିଛି । ଅଢେଇ ବର୍ଷର ବିଜେପି ସରକାରରେ ଅନେକ ବିଫଳତା ହୋଇଛି । ତାହାର ମଧ୍ୟ ତଦନ୍ତ କରାଯାଉ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking