ଭୁବନେଶ୍ୱର: ସମ୍ବିଧାନର ପ୍ରଣେତାମାନେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଯେଉଁ ସମ୍ବିଧାନ ସଂରଚନା କରିଥିଲେ, ତାକୁ ମୋଦୀ-ଶାହା ଶାସନ ଦଳିମକଚି ନଷ୍ଠ କରିଦେବାକୁ ବସିଛି। ଏକଛତ୍ରବାଦ ଜନିତ ପରାଧୀନତାରୁ ମୁକ୍ତି ପାଇଁ ଗାନ୍ଧୀ-ନେହେରୁ-ସୁଭାଷ-ପଟେଲଙ୍କ ପରି ଆଉ ଏକ ସ୍ୱାଧୀନତା ସଂଗ୍ରାମ ଓ ଇନ୍ଦିରା ଗାନ୍ଧିଙ୍କ ପରି ବଳିଦାନର ଆବଶ୍ୟକତା ଅଛି ବୋଲି ଗୁରୁବାର ପୂର୍ବାହ୍ନରେ ଇନ୍ଦିରା ପାର୍କ ଠାରେ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଇନ୍ଦିରା ଗାନ୍ଧିଙ୍କ ୧୦୯ତମ ଜୟନ୍ତୀ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ମତବ୍ୟକ୍ତ କରିଛନ୍ତି। ସ୍ମୃତିକମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିସଭାରେ ଶ୍ରୀ ଦାସ କହିଥିଲେ, ଇନ୍ଦିରା ଗାନ୍ଧିଙ୍କ ବଳିଦାନ ସାରା ବିଶ୍ବରେ ବିରଳ। କଂଗ୍ରେସ ସପକ୍ଷରେ ସାରା ଦେଶରେ ଏବେ ଜନସମର୍ଥନ ବୃଦ୍ଧି ପାଉଥିବାରୁ କିଛି ସମର୍ପିତ କଂଗ୍ରେସ କର୍ମୀ ନିଜକୁ ପୂର୍ଣ୍ଣ ପ୍ରାଣରେ ଦଳପାଇଁ ସବୁକିଛି ତ୍ୟାଗ କରିବାର ସମୟ ଆସିଛି ବୋଲି ସେ କହିଥିଲେ।
ଗୁରୁବାର ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ୧୦୯ତମ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲାର୍ପଣ କରିଥିଲେ । ପରେ ଇନ୍ଦିରା ଗାନ୍ଧୀ ପାର୍କ ସ୍ଥିତ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ପୂର୍ବତନ ସମ୍ପାଦକ ସି.ପି. ମିତ୍ତଲ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ଜିଆ ଉଲ୍ ହକ୍, ଅରବିନ୍ଦ ଦାସ, ଅଭୟ ସାହୁ, ପୃଥିବୀବଲ୍ଲଭ ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ପ୍ରକାଶ ମିଶ୍ର, ହଳଧର ସେଠୀ, କୃଷ୍ଣଚନ୍ଦ୍ର ବରାଳ, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ରାଜକିଶୋର ବାରିକ, କରୁଣାକର ରଥ, ଜ୍ୟୋତିଶ ସାହୁ, ରଞ୍ଜନ ନାୟକ, ମନୋରଞ୍ଜନ ରାଉତରାୟ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।










