ଭୁବନେଶ୍ୱର: ବଜେଟର ବ୍ୟୟ ବରାଦ ଅର୍ଥ ବିଭିନ୍ନ ବିଭାଗ ୫ପ୍ରତିଶତ ଖର୍ଚ୍ଚ ମଧ୍ୟ କରିନାହାନ୍ତି । କିନ୍ତୁ ସରକାର ଲୋକଙ୍କୁ ଭୁୂଆଁ ବୁଲାଇବା ଓ ମିଛ ନାଟକ ପାଇଁ ପୁନଃର୍ବାର ଗତକାଲି ବିଧାନସଭାରେ ଅତିରିକ୍ତ ୨୪୧୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପସ୍ଥାପନ କଲେ ଏବଂ ହଟ୍ଟଗୋଳ ଭିତରେ ଏହାକୁ ବିନା ଆଲୋଚନାରେ ପାରିତ କରିନେଲେ । ଏ ସରକାର ଲୋକଙ୍କୁ ସୁଖ ଦୁଃଖରେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବାଶିଷ ନାୟକ ସାମ୍ବାଦିକ ମାନଙ୍କୁ କହିଥିଲେ । ଶ୍ରୀ ନାୟକ କହିଥିଲେ ଯେ ଏ ସରକାର ସଂପୂର୍ଣ୍ଣ ଅପାରଗତା । ଏ ସରକାରର କୌଣସି ଜଣେ ମନ୍ତ୍ରୀ ନିଜ ବିଭାଗର ଉତ୍ତର ଦାୟିତ୍ୱ ନେଉନାହାନ୍ତି । କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଓ ମିଛ କହିବା ଏ ସରକାରର ବଡ ସଫଳତା ।
ପ୍ରଦେଶ କଂଗ୍ରେସର ଅନ୍ୟତମ ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଚଳିତ ଫେବୃୟାରୀ ମାସରେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ । ତନ୍ମମଧ୍ୟରୁ ୧ଲକ୍ଷ ୮୦ ହଜାର କୋଟି ଟଙ୍କା କେବଳ ଯୋଜନା ବ୍ୟୟ ଥିଲା । ରାଜ୍ୟ ସରକାରଙ୍କର ୪୪ଟି ବିଭାଗ ମଧ୍ୟରୁ ପାଖାପାଖି ୨୫ଟି ବିଭାଗ ନିଜ ବଜେଟ ରାଶିର ୭ପ୍ରତିଶତ ମଧ୍ୟ ଖର୍ଚ୍ଚ କରିନାହାନ୍ତି । ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଲା ପୁଞ୍ଜି ବ୍ୟୟବରାଜ ମୂଳ ବଜେଟର ୭୨ ହଜାର ୧ଶହ କୋଟି ଟଙ୍କା ଥିଲାବେଳେ ଏହି ଆର୍ଥିକ ବର୍ଷରେ ୮ମାସ ପରେ ମାତ୍ର ୧୮ ହଜାର ୧୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଛି । ଯାହାକି ସମୁଦାୟ ବଜେଟ ରାଶିର ୨୫.୨ ପ୍ରତିଶତ । ସେହିପରି ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗର ବଜେଟ ଅନୁଦାନ ୨୩ ହଜାର ୧୮୨ କୋଟି ଟଙ୍କା ଥିବାବେଳେ ୮ ମାସ ପରେ ମାତ୍ର ୮ ହଜାର ୮୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ୩୫.୨୨ ପ୍ରତିଶତ । ସେହିପରି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ୩୪ ହଜାର ୧୬୬ କୋଟି ଟଙ୍କା ଚଳିତ ବଜେଟରେ ଖର୍ଚ୍ଚ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଆର୍ଥିକ ବର୍ଷ ଅକ୍ଟୋବର ମାସ ସୁଧା ମାତ୍ର ୭ ହଜାର ୮୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ୨୩ ପ୍ରତିଶତ ସାମଗ୍ରିକ ଭାବରେ ରାଜ୍ୟ ସରକାର ୩୫.୨୨ ପ୍ରତିଶତ ବ୍ୟୟ ବରାଦ ରାଶିର ଅର୍ଥ ଖର୍ଚ୍ଚ କରିଛନ୍ତି ଅକ୍ଟୋବର ମାସ ସୁଧା । ଏହି ଆର୍ଥିକ ବର୍ଷରେ ଆଉ ମାତ୍ର ୪ମାସ ମଧ୍ୟରେ କିଭଳି ଭାବରେ ୬୫ପ୍ରତିଶତ ଅର୍ଥ ରାଶି ଖର୍ଚ୍ଚ ହେବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ଖାଲି ସେଥିକି ନୁହେଁ ଗତ ଆର୍ଥିକ ବର୍ଷରେ ସରକାର ୨୮ ପ୍ରତିଶତରୁ ଅଧିକ ବ୍ୟୟ ବରାଦ ରାଶି ଖର୍ଚ୍ଚ କରିପାରିବେଲ ନାହିଁ । ଫଳରେ ରାଜ୍ୟର ପ୍ରଗତି ପରିବର୍ତ୍ତେ ରାଜ୍ୟ ଦୁର୍ଗତି ଆଡକୁ ମୁହାଁଇଛି । ଗୋଟେ ପଟେ ସରକାର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ।
ଅନ୍ୟପଟେ ଅତିରିକ୍ତ ବଜେଟ ପ୍ରସ୍ତାବକୁ ପାରିତ କରିବାର ଉଦ୍ଦେଶ୍ୟ କ’ଣ? କେବଳ ମିଛ ଓ ଗାଲୁଆମି କରିବା ଛଡା ଏଥିରେ ରାଜ୍ୟର କ’ଣ ଲାଭ ହେବ? ଖୋଦ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଦାୟିତ୍ୱରେ ଅଛନ୍ତି । କିନ୍ତୁ ନିଜର ଅପାରଗତାକୁ ଲୁଚାଇବା ପାଇଁ ଓ ମିଛ ପ୍ରହସନ କରିବା ପାଇଁ ଏ ଅତିରିକ୍ତ ବଜେଟ ଅଣାଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା । ବାତ୍ୟା ଅର୍ଣ୍ଣବ ଯୋଗୁଁ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନାଗିରି, ନବରଙ୍ଗପୁର ଇତ୍ୟାଦି ଜିଲ୍ଲା ବହୁମାତ୍ରାରେ ପ୍ରଭାବିତ । ହଜାର ହଜାର ଲୋକ ରିଲିଫ୍ ଅପେକ୍ଷାରେ ଦିନ ଦିନ ରହିଲେ । କିନ୍ତୁ ସରକାରଙ୍କର ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ ବିଭାଗ ମାତ୍ର ୧ ହଜାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୫ ହଜାର ୩୭୫ କୋଟି ଟଙ୍କା ତାଙ୍କ ପାଖରେ ପଡିରହିଛି । ରାଜ୍ୟର ଜନସାଧାରଣଙ୍କର ଘୋର ବିପତ୍ତିରେ ଥିଲାବେଳେ ମଧ୍ୟ ତାଙ୍କୁ ସରକାର ସହାୟତର ହାତ ବଢ଼ାଉନାହାନ୍ତି । ଖାଲି ମିଛରେ ବଜେଟର ଆକାର ବଢ଼ାଇ ନିଜର ବାହା ବାହା ଛଡା ଜନସାଧାରଣଙ୍କର କଣ ଉପକାର ହେଉଛି । ୩୦ ମାସ ଚାଲିଗଲା । ଏ ସରକାର ସବୁକ୍ଷେତ୍ରରେ ବିଫଳ । ଏ ଏକ ନିକମା ଓ ଅପାରଗ ସରକାର । ଲୋକଙ୍କ ହିତ ପରିବର୍ତ୍ତେ ଚୋରୀ କରି ମନ୍ତ୍ରୀ ଓ ନିଜ ଦଳର ବିଧାୟକମାନେ ମାଲେମାଲ ହେଉଛନ୍ତି କିନ୍ତୁ ଲୋକେ ସର୍ବଶାନ୍ତ ହେଉଛନ୍ତି ।










