ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ରରେ ୨୦୨୬ ମସିହା ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜର୍ମାନୀର ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍ ଏବଂ ଆମେରିକାର କାର୍ଲ ଡାଇସେରୋଥ୍ଙ୍କୁ ମିଳିଛି ଏହି ସମ୍ମାନ। ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ୍ ଓ ଓପ୍ଟୋଜେନେଟିକ୍ସର ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି । ଓପ୍ଟୋଜେନେଟିକ୍ସ ହେଉଛି ଏକ ବୈଜ୍ଞାନିକ ପ୍ରଣାଳୀ, ଯାହା ସାହାଯ୍ୟରେ ଆଲୋକ ବ୍ୟବହାର କରି ନିର୍ଦ୍ଦିଷ୍ଟ ନ୍ୟୁରନ୍ ବା ତାନ୍ତ୍ରିକ କୋଷିକାର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରେ। ଏହାଦ୍ୱାରା କେଉଁ ନ୍ୟୁରନ୍ କେଉଁ କାମ କରୁଛି ଏବଂ ମସ୍ତିଷ୍କର ନିର୍ଦ୍ଦିଷ୍ଟ ସର୍କିଟ୍ କିପରି ସ୍ମୃତି, ଭାବନା ଓ ବ୍ୟବହାରକୁ ପ୍ରଭାବିତ କରୁଛି, ତାହା ଅଧିକ ସଠିକ୍ ଭାବେ ଅଧ୍ୟୟନ କରିବା ସମ୍ଭବ ହୋଇଛି।ପୂର୍ବରୁ ମସ୍ତିଷ୍କର ଅନେକ ନ୍ୟୁରନ୍ ଏକାସାଙ୍ଗରେ ସକ୍ରିୟ ହେଉଥିବାରୁ କୌଣସି ନିର୍ଦ୍ଦିଷ୍ଟ କୋଷିକାର ଭୂମିକା ଜାଣିବା କଷ୍ଟକର ଥିଲା। କିନ୍ତୁ ଓପ୍ଟୋଜେନେଟିକ୍ସ ମାଧ୍ୟମରେ ଚୟନିତ ନ୍ୟୁରନ୍କୁ ଆଲୋକରେ ସକ୍ରିୟ କିମ୍ବା ନିଷ୍କ୍ରିୟ କରି ତାହାର ପ୍ରଭାବ ଅଧ୍ୟୟନ କରିହେଉଛି।










