ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।ଡଃ ମହାପାତ୍ର କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ କେତେକ ସହରାଞ୍ଚଳରେ ସ୍ୱାଭାବିକ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବାରୁ ଜଳବନ୍ଦୀ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀ ୨୪ ଘଣ୍ଟିଆ ଆଲର୍ଟରେ ରହିବା ସହ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ବିଭାଗୀୟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ବିଭିନ୍ନ ସହରାଞ୍ଚଳର ସ୍ଥିତିକୁ ନିୟମିତ ମନିଟରିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପଠାଯାଉଛି ।ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପମ୍ପସେଟ୍ ନିୟୋଜନ କରି ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ କରାଯାଉଛି । ସହରାଞ୍ଚଳର ମୁଖ୍ୟ ରାସ୍ତା, ଆବାସିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜଳମଗ୍ନ ସ୍ଥାନରୁ ଯଥାଶୀଘ୍ର ପାଣି ହଟାଇବା ପାଇଁ ୟୁ ଏଲ୍ ବି ଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ନିୟୋଜନ କରିବାକୁ କୁହାଯାଇଛି ।ଏଥିସହ ଡ୍ରେନ୍, କଲଭର୍ଟ ଓ ଜଳ ନିଷ୍କାସନ ପଥରେ ଯେଉଁଠାରେ ବାଧା ସୃଷ୍ଟି ହୋଇଛି, ସେଗୁଡ଼ିକୁ ତୁରନ୍ତ ସଫା କରିବା ଏବଂ ଜଳ ପ୍ରବାହକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ସହ ଆଲୋକ ବ୍ୟବସ୍ଥା କରାଯାଉଛି । ଜନସାଧାରଣଙ୍କୁ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ୟୁ ଏଲ୍ ବି ଗୁଡ଼ିକୁ ସଜାଗ ରଖାଯାଇଛି ।ଆବଶ୍ୟକ ସ୍ଥଳରେ ବିପଦସଙ୍କୁଳ ଓ ଅଧିକ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖାଯାଉଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଯାଉଛି ।
ପ୍ରତିବର୍ଷ ପ୍ରବଳ ବର୍ଷା ସମୟରେ କେତେକ ସହରାଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ସମସ୍ତ ୟୁ ଏଲ୍ ବି ପାଇଁ ଏକ ସୁଦୃଢ଼ ‘ଷ୍ଟ୍ରଙ୍ଗ୍ ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯିବ ।ଏହି ମାଷ୍ଟର ପ୍ଲାନ୍ରେ ସହରାଞ୍ଚଳର ପ୍ରାକୃତିକ ଜଳ ପ୍ରବାହ, ଡ୍ରେନେଜ୍ ନେଟୱର୍କ, ଜଳ ଧାରଣ କ୍ଷମତା, ଅଧିକ ବର୍ଷା ସମୟରେ ଜଳ ପ୍ରବାହର ଚାପ, ନିଷ୍କାସନ ପଥ ଏବଂ ଭବିଷ୍ୟତର ସହରୀକରଣକୁ ବିଚାରକୁ ନିଆଯିବ । ଏହା ଆଧାରରେ ଆବଶ୍ୟକ ଡ୍ରେନ୍ ନିର୍ମାଣ, ପୁନରୁଦ୍ଧାର, ସମ୍ପ୍ରସାରଣ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପ୍ରକଳ୍ପ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ।ଏହି ପଦକ୍ଷେପର ଲକ୍ଷ୍ୟ କେବଳ ବର୍ଷା ସମୟରେ ଜଳ ନିଷ୍କାସନ କରିବା ନୁହେଁ; ବରଂ ଭବିଷ୍ୟତରେ ସହରାଞ୍ଚଳକୁ ଅଧିକ ବନ୍ୟା-ପ୍ରତିରୋଧୀ ଓ ଜଳ ନିଷ୍କାସନ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଗଢ଼ି ତୋଳିବା ।ରାଜ୍ୟ ସରକାର ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ଚ୍ୟାଲେଞ୍ଜିଂ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ସହିତ ଦୀର୍ଘମିଆଦୀ ଓ ସ୍ଥାୟୀ ସମାଧାନ ଉପରେ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଡଃ ମହାପାତ୍ର ସୂଚନା ଦେଇଛନ୍ତି l










