କେନ୍ଦ୍ରାପଡ଼ା : ଲଗାଣ ବର୍ଷା ପରେ ଫୁଲିଛି ବୈତରଣୀ ନଦୀ । ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ନଦୀକୂଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ଭୟାବହ ସ୍ଥିତି । ବନ୍ୟା ପାଣି ମଧ୍ୟରେ ଫସି ରହିଛନ୍ତି ଶତାଧିକ ପରିବାର । ରାଜକନିକା ବ୍ଲକ ବାରାହା ଦୋମଣ୍ଡ ପଞ୍ଚାୟତର କାଇମା କନପୁରୁ ଗାଁର ମୁଖ୍ୟ ରାସ୍ତାରେ ପ୍ରାୟ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗାଁର ପ୍ରାୟ ଶହେରୁ ଅଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅନେକ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ପଶିଥିବା ବେଳେ କିଛି ପରିବାର ବାଧ୍ୟ ହୋଇ ଛାତ ଉପରେ ଆଶ୍ରୟ ନେଇଛନ୍ତି । ସବୁଠାରୁ ବଡ଼ ସମସ୍ୟା ପାଲଟିଛି ପିଇବା ପାଣି । ଲୋକମାନେ ଜୀବନକୁ ବାଜି ଲଗାଇ ବନ୍ୟା ପାଣି ଭିତରେ ପ୍ରାୟ ଏକ କିଲୋମିଟର ଯାଇ ପାନୀୟ ଜଳ ଆଣୁଥିବା ଅଭିଯୋଗ ହୋଇଛି ।










