30 C
Bhubaneswar
Thursday, July 30, 2026
Homeଓଡିଶାଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୂବନେଶ୍ୱର :ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ହେଲିକପ୍ଟର ଯୋଗେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଦର୍ଶନ କରି ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ହୋଇ ରହିଥିବା ଗାଁଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ପାଣି କେଉଁ ସ୍ତରରେ ରହିଛି ଏବଂ ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନେଇ ସେ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରିଛନ୍ତି ।

ମନ୍ତ୍ରୀଙ୍କ ସହିତ ଏହି ଆକାଶମାର୍ଗ ପରିଦର୍ଶନ ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଉପସ୍ଥିତ ଥିଲେ । ବନ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ସହାୟତା ପ୍ରଦାନ ନେଇ ମନ୍ତ୍ରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଆଜି ପୂର୍ବାହ୍ନରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଏବଂ ସତର୍କ ରହିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking