ବୌଦ୍ଧ: ବେଳକୁ ବେଳ ବଢ଼ିଚାଲିଛି ମହାନଦୀ ଜଳସ୍ତର । ଫଳରେ ବିପଦ ସଙ୍କେତ ନିକଟରେ ଜଳସ୍ତର ପହଞ୍ଚିଲାଣି । ବୌଦ୍ଧରେ ବିପଦ ସଙ୍କେତ ୮୭.୮୦ ମିଟର ଥିବାବେଳେ ଜଳସ୍ତର ୮୭.୧୫ ମିଟରରେ ପହଞ୍ଚିଛି । ଫଳରେ ସହର ସମେତ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ଜନଜୀବନକୁ ପ୍ରଭାବିତ କରିଛି। ସ୍ଥିତିର ଗୁରୁତ୍ୱକୁ ଦେଖି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମିନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଯୋଗୁଁ ବୌଦ୍ଧରୁ ହରଭଙ୍ଗା ସଂଯୋଗ କରୁଥିବା ଜଗନ୍ନାଥ ସଡ଼କରେ ତିନି ଫୁଟର ପାଣି ଦେଖିବାକୁ ମିଳିଛି । ଅନ୍ୟପଟେ ରିଶିବନ୍ଧ-ଡିଗି, ଧଳପୁର-ଖଣ୍ଡିଶାହୀ ଓ କେଳାକୋଟା-କରଡ଼ି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ଶଗଡ଼ା ଗ୍ରାମପଞ୍ଚାୟତର ଯୋଗାଯୋଗ ପ୍ରଭାବିତ ହୋଇଛି । ବୌଦ୍ଧ ସହରର ଫେରିଘାଟ ଓ ଗାଇଗୋଠ ପଡ଼ିଆରେ ବନ୍ୟାଜଳ ପଶିବାକୁ ଯୋଗୁ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।










