ରାୟଗଡ଼ା: ଜାରି ରହିଥିବା ଲଗାଣ ବର୍ଷା ଏବେ ବିପର୍ଯ୍ୟୟର ରୂପ ନେବାରେ ଲାଗିଛି । ରାୟଗଡ଼ା ଜିଲ୍ଲାର ଦୁଇ ପ୍ରମୁଖ ନଦୀ ନାଗାବଳୀ ଓ ବଂଶଧାରାର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ନଦୀ ଦ୍ୱୟ ଏବେ ଗର୍ଜନ କରି କୂଳ ଲଙ୍ଘୁଥିବା ବେଳେ ଜଳସ୍ତର ବିପଦ ସଙ୍କେତର ମାତ୍ର କିଛି ତଳେ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ନଈକୂଳିଆ ଗାଁଗୁଡ଼ିକରେ ବନ୍ୟା ଭୟ ଖେଳିଯାଇଛି ।ଯେଉଁ ନାଗାବଳୀ ନଦୀ ଦିନେ ଶୁଖିଲା ପଡ଼ିଥିଲା, ଆଜି ସେ ଭୟଙ୍କର ରୂପ ଧାରଣ କରିଛି। ପ୍ରଖର ସ୍ରୋତ ଯୋଗୁଁ ନଦୀ କୂଳରୁ ମାଟି ଅତଡ଼ା ଧସିବା ସହ ପଥର ଆଡ଼ି ବନ୍ଧଗୁଡ଼ିକ ମଧ୍ୟ ଭାସିଗଲାଣି। ବିଶେଷ କରି ବାଇସିଂ ପଞ୍ଚାୟତର ଦୁମାଗୁଡ଼ା ଓ ମାରିଗୁଡ଼ା ଗାଁ ସମେତ ରାୟଗଡା ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର ଚେକାଗୁଡା ଗାଁ ନିକଟରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ନଦୀକୂଳରେ ଥିବା ବହୁ ଚାଷ ଜମି ଏବେ ନଦୀଗର୍ଭକୁ ଚାଲିଗଲାଣି। ଯଦି ବର୍ଷା ଏମିତି ଲାଗିରହେ, ତେବେ ଗାଁଗୁଡ଼ିକ ନଦୀରେ ଲୀନ ହୋଇଯିବା ଆଶଙ୍କା କରି ସ୍ଥାନୀୟ ବାସିନ୍ଦା ଗଙ୍ଗା କାଡ଼୍ରାକା ଓ ବବିତା ତାଡ଼ିଙ୍ଗି ନିଜର ଦୁଃଖ ପ୍ରକାଶ କରିଛନ୍ତି ।ଅନ୍ୟପଟେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।










