ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ସମୟରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଲଗାତାର ବର୍ଷା ଯୋଗୁଁ ମହାନଦୀ ଓ ଏହାର ଉପନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଡ୍ୟାମକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି । ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୩ ହଜାର ୭୧୫ କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମର ୨ଟି ଗେଟ୍ ଖୋଲାଯାଇଛି । ଏହି ଦୁଇଟି ଗେଟ୍ ଦେଇ ବର୍ତ୍ତମାନ ୬୩ ହଜାର ୯୭୦ କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଛି । ସେପଟେ ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ବଢ଼ିଛି। କଟକ ମୁଣ୍ଡଳିରେ ବର୍ତ୍ତମାନ ପ୍ରାୟ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି । ଗତ ୨୪ ଘଣ୍ଟାର ବର୍ଷା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି ।










