ଭୁବନେଶ୍ୱର: ‘ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୧୬ର ବିଜୟିନୀ ତଥା ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକ ଆଜି ଲୋକସେବା ଭବନସ୍ଥିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାର୍ଯ୍ୟାଳୟରେ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଜ୍ୟୋତିର୍ମୟୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଏହି ଜାତୀୟ ସ୍ତରର ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏହି ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜ୍ୟୋତିର୍ମୟୀଙ୍କ ଏହି ଅଦ୍ୱିତୀୟ ସଫଳତା ଆମ ରାଜ୍ୟର ନାରୀଶକ୍ତିଙ୍କ ସାମର୍ଥ୍ୟ, ପ୍ରତିଭା ଓ ଅଦମ୍ୟ ସଂକଳ୍ପର ଏକ ଉଜ୍ଜ୍ୱଳ ଉଦାହରଣ। ସେ କହିଛନ୍ତି, “ଜ୍ୟୋତିର୍ମୟୀଙ୍କ ସଫଳତା କେବଳ ସଙ୍ଗୀତ ଜଗତ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।” ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭା ନିଜର କଠିନ ପରିଶ୍ରମ ଓ ସାଧନା ବଳରେ କିପରି ସମଗ୍ର ଦେଶରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିପାରିବେ, ତାହା ସେ ପ୍ରମାଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର କନ୍ୟା ଜ୍ୟୋତିର୍ମୟୀ ନାୟକ ସୋନି ଏଣ୍ଟରଟେନମେଣ୍ଟ୍ ଟେଲିଭିଜନର ଜନପ୍ରିୟ ରିୟାଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍-୧୬’ରେ ବିଜେତା ହୋଇ ଇତିହାସ ରଚିଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ଟ୍ରଫି ହାସଲ କରିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି।ଶେଷରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଜ୍ୟୋତିର୍ମୟୀ ଆଗାମୀ ଦିନରେ ସଙ୍ଗୀତ କ୍ଷେତ୍ରରେ ଆହୁରି ଅନେକ ସଫଳତା ହାସଲ କରନ୍ତୁ ଏବଂ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ ହୋଇ ରହନ୍ତୁ, ଏହି କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।










