ବଡ଼ବିଲ: ତାଉ ଦେଖାଉଛି ବୈତରଣୀ। ବନ୍ୟାଜଳ ଛଡ଼ାଯିବା ପରେ ଭାଙ୍ଗିଲା ଯୋଡ଼ା ବ୍ଲକ ବାସୁଦେବପୁର ଠାରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର କଫର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କଫର୍ ଡ୍ୟାମ୍ ଭାଙ୍ଗିଯାଇଥିଲା। ଏହାପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଘଟଣା ସ୍ଥଳରେ ପୁଲିସ୍ ପ୍ରଶାସନ ଜଗି ରହିଛନ୍ତି।
ବନ୍ୟାଜଳ ଛଡ଼ାଯିବ ପରେ ବୈତରଣୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯୋଡ଼ା,ଚମ୍ପୁଆ, ପାଟଣା, ଝୁମ୍ପୁରା ବ୍ଲକର ବିଭିନ୍ନ ନଈ ପାଖିଆ ଗାଁ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯିବା ସହ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଆନନ୍ଦପୁର ଏବଂ ଆଖୁଆପଦାରେ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ନିର୍ମାଣାଧୀନ କାନପୁର ଡ୍ୟାମର ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ ଟି ରେଡିୟଲ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ଏହି କଫର ଡ୍ୟାମ୍ ନିର୍ମାଣ କରାଯାଇଥିଲା । ମାତ୍ର ଲଗାଣ ବର୍ଷା ଫଳରେ ଏବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ ହେବା ଦେଖାଯାଉ ନାହିଁ । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ତେବେ ଆଗକୁ ଏହାର ବଳକା ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ମଧ୍ୟ ଆଶଙ୍କା ଦେଖାଦେଇଛି।










