ରାୟଗଡ଼ା: ଲଗାଣ ବର୍ଷା ଆଣିଲା ଆଉ ଏକ ଦୁଃଖଦ ଖବର । କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବାଘଡ଼ଙ୍ଗରୀ ଗ୍ରାମରେ । ସୂଚନା ଅନୁସାରେ, ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କ ଉପରେ ଘରର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା । କାନ୍ଥ ତଳେ ଚାପି ହୋଇ ମହିଳା ଗୁରୁତର ହୋଇପଡ଼ିଥିଲେ ।ପରିବାର ଲୋକ ଓ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଦୁର୍ବଳ ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଏବେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ସହ ଆବଶ୍ୟକ ସହାୟତା ଯୋଗାଇବା ନେଇ ପଦକ୍ଷେପ ନିଆଯାଉଛି ।










