ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଭଦ୍ରକ ଜିଲ୍ଲାର, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ସମୁଦ୍ର କୂଳିଆ ଅଞ୍ଚଳରେ ଭୟାବହ ପରିସ୍ଥିତି ଉପୁଜିଛି । ବନ୍ୟା ପାଣି ଆସିବା ଫଳରେ ଶତାଧିକ ଗ୍ରାମବାସୀ ଜଳବନ୍ଦୀ ଘେରରେ ରହିଛନ୍ତି । ଘର ଭିତରେ ଆଣଣ୍ଠୁଏ ଆଣଣ୍ଠୁଏ ଉଚ୍ଚର ପାଣି ପଶିଥିବା ବେଳେ ରୋଷେଇ ଘରେ ମଧ୍ୟ ପ୍ରବଳ ପାଣି ଦେଖାଦେଇଛି । ଯାହାଫଳରେ ଚୁଲି ଜଳିପାରୁନାହିଁ । ଲୋକମାନେ ଖାଦ୍ୟ ପାନୀୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀମାନେ ଜୀବନକୁ ବାଜି ଲଗାଇ ଆଣଣ୍ଠୁଏ ଉଚ୍ଚର ପାଣିରେ ରାସ୍ତା ପାର କରୁଥିବା ବେଳେ ପରିବହନ ବ୍ୟବସ୍ଥା ଏବଂ ଯାତାୟତ ସମ୍ପପୁର୍ଣ୍ଣ ଠପ ହୋଇପଡିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏନେଇ ତତ୍ପରତା ଦେଖାଇଛି । ବର୍ଷାର ପ୍ରଭାବରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଭଟାସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫଲାପୁର ଗ୍ରାମର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଏସଆରସି ପକ୍ଷରୁ ଜଗତସିଂହପୁର ଜିଲ୍ଲାର ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ରିଲିଫ ସମଗ୍ରୀ ଦେବାର ବ୍ୟବସ୍ଥା କରିଛନ୍ତି । କେବଳ ଧାନମଗର ନୁହେଁ ଭଦ୍ରକର ଭଣ୍ଡାରୀପୋଖରୀ ବ୍ଲକରେ ମଧ୍ୟ ଦୁର୍ଦ୍ଦଶା ଦେଖାଦେଇଛି । ଅଗ୍ନିଶମ ସୁରକ୍ଷା ବାହିନୀ ଟିମ ପହଞ୍ଚି ଗ୍ରାମ ବାସୀଙ୍କୁ ଉଦ୍ଧାର କରିଛନ୍ତି ।










