କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ତେଲନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତେଲନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ନଦୀରେ ବନ୍ୟାଜଳ ଭର୍ତ୍ତି ହେବା ସହ ଏବେ ତଳିଆ ଅଞ୍ଚଳଗୁଡ଼ିକରେ ଚିନ୍ତା ବଢ଼ିଛି । କେସିଙ୍ଗା ସହର ନିକଟ ରେଳ ଅଣ୍ଡର ବ୍ରିଜରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ରାସ୍ତା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି । ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସେପଟେ ବନ୍ୟାଜଳ ଧୀରେ ଧୀରେ ସହର ନିକଟବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସିଛି । ନଦୀକୂଳିଆ ଅଞ୍ଚଳରେ ଥିବା ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । କଶରୁପଡ଼ା, ତୁଣ୍ଡଳା, ନୁନମାଠ ପଞ୍ଚାୟତର ବିଭିନ୍ନ ନଦୀକୂଳିଆ ଗାଁରେ ବନ୍ୟାଜଳ ପ୍ରବେଶ କରି ଚାଷଜମିକୁ କ୍ଷତି ପହଞ୍ଚାଇଛି । ଧାନ ସହ ବିଭିନ୍ନ ଫସଲ ପାଣିରେ ବୁଡ଼ି ରହିଛି । ବନ୍ୟା ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।










