ମୋର ବଡ଼ ଭାଇ ବିଜୟ କୁମାର ପଟ୍ଟନାୟକ-ପୂବତନ ପ୍ରକାଶକ, ସମ୍ବାଦ, ଆମକୁ ଛାଡ଼ି ଚାଲିଯିବା ଏହା ମଧ୍ୟରେ ଏକ ବର୍ଷ ହୋଇଗଲାଣି ତାହା ମୁଁ ଜମ୍ମାରୁ ବିଶ୍ୱାସ କରିପାରୁନି । ସତରେ କ’ଣ ଏହା ଭିତରେ ବର୍ଷେ ଚାଲିଗଲାଣି । ମନେ ହେଉଛି ବୋଧେ ଭାଇ ମୋ ପାଖେ ପାଖେ ଅଛନ୍ତି । ସବୁ କାମରେ ସାହାଯ୍ୟ କରୁଛନ୍ତି । ତାଙ୍କର ଆଶୀର୍ବାଦ ନ ଥିଲେ ତାଙ୍କର ଗେହ୍ଲା ଝିଅର ବିଭାଘର ଏହି କରୋନା ମହାମାରୀର ଦ୍ୱିତୀୟ ଉଗ୍ର ରୂପ ହେବା ପୂର୍ବରୁ ହୋଇନଥାନ୍ତା । ସେ ଯାହାହେଉନା କାହିଁକି, ଭାଇ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ । ଭାଇଙ୍କ ଆବର୍ତନରେ ଜୀବନ, ଜୀବିକା କେତେ ଯେ ଦୁର୍ବିସହ ହୋଇଯାଇଛି ଓ ତାଙ୍କର ଅନୁପସ୍ଥିତି କିପରି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି, ତାକୁ ମୁଁ ମର୍ମେ ମର୍ମେ ଅନୁଭବ କରୁଛି । ଦୀର୍ଘ ୫୭ ବର୍ଷ ପର୍ଯ୍ୟନ୍ତ ତାଙ୍କ ଆଶୀର୍ବାଦ ଯୋଗୁଁ ମୁଁ ତାଙ୍କ ପାଖେ ପାଖେ ରହିଆସିଅଛି । ପିଲାବେଳେ ସେ ବହୁତ ଦୁଷ୍ଟ ଥିଲା । ମାତ୍ର, ସେ ଏକ ଦରଦୀ, ସ୍ନେହୀ, ପରୋପକାରୀ ମଣିଷଟିଏ ଥିଲେ । ଯେଉଁ କାମରେ ସେ ହାତ ମାରି ଦେଉଥିଲେ ସେ ସୁନା ହୋଇଯାଉଥିଲା । ସେଇଥିପାଇଁ ବୋଧେ ତାଙ୍କ ନାଁ ଥିଲା ବିଜୟ । ଏମିତି କୌଣସି କାମ ନାହିଁ ସେ ହାର୍ ମାନିଥିଲା । ସିଆର୍ପି ଛକରେ ‘ସମ୍ବାଦ’ ଅଫିସ୍ର ପ୍ରତିଷ୍ଠା ହେଉ, ହନୁମାନ ମନ୍ଦିର ପ୍ରତିଷ୍ଠା ହେଉ, ‘ସମ୍ବାଦ’କୁ ଏକ ନମ୍ବର ଖବରକାଗଜର ମାନ୍ୟତା ପ୍ରଦାନ କରିବା ଦିଗରେ ହେଉ, ଦୀର୍ଘ ୩୦ ବର୍ଷ ଧରି ପଡ଼ି ରହିଥିବା ଆମ ଗ୍ରାମର କାଦୁଅ ଗ୍ରାମ୍ୟ ରାସ୍ତାକୁ ଉନ୍ନତିକରଣ କରି ପିଚୁ ରାସ୍ତା କରିବା ହେଉ – ଏମିତି ଯେଉଁ କାମରେ ସେ ହାତ ଦେଉଥିଲେ ତାକୁ ପୂର୍ଣ୍ଣ କରିକି ହିଁ ଛାଡ଼ୁଥିଲେ । ବ୍ୟକ୍ତିଗତ ଭାବରେ ମଧ୍ୟ କାହାର ଦେହ ଖରାପ ହେଲେ ସାହାଯ୍ୟ କରିବା, କାହାକୁ ହସ୍ପିଟାଲ୍ ନେଇ ଆଡ଼ମିସନ୍ କରିବା ଏବଂ ବହୁ ବେକାରୀ ଯୁବକ-ଯୁବତୀଙ୍କୁ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ଦେବା – ତା’ର ଦୈନନ୍ଦୀନ କାର୍ଯ୍ୟ ହଉଥିଲା । ମୋର ପୂର୍ବତନ ଶ୍ରମ କମିଶନର ଏବଂ ବର୍ତମାନର ଓପିଏସ୍ସି ସଦସ୍ୟ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କର ଦ୍ୱିତୀୟ ଗଳ୍ପ ସଂକଳନର ଲୋକାର୍ପଣ ଉତ୍ସବରେ ସେଠାକୁ ଆସିଥିବା ସୁନାମଧନ୍ୟ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁରଙ୍କ ସାଙ୍ଗରେ ମୋର ସାକ୍ଷାତ ହେଲାବେଳେ ମୁଁ ପଚାରିଥିଲି ସାର୍ କେମିତି ଅଛନ୍ତି । କହୁ କହୁ ଦାଶ ବେନହୁର ସାର୍ କହିଲେ, “ସମ୍ବାଦ ଆଜି ବିଜୟବିହୀନ ସମ୍ବାଦ ପରିବାର ହେଇଛି” । ତାଙ୍କ କଥାକୁ ମୁଁ ନିଜେ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲି ଯେ, ମୋ ପରିବାର ମଧ୍ୟ ଠିକ୍ ବିଜୟବିହୀନ ପରିବାରରେ ପରିଣତ ହୋଇଯାଇଛି । ହସ ଖୁସିର ପରିବାର ଆଜି ଦୁଃଖରେ ଘାଂଟି ହୋଇ ତାର ଅନୁପସ୍ଥିତିକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି । ଦୁଃଖ ଓ ପରିତାପର ବିଷୟ-ଏ କରୋନା ମହାମାରୀ ନିଜ ଲୋକଙ୍କୁ ସେବା କରିବାର ସୁଯୋଗ ଦେଉନାହିଁ । ଜଣେ ଲୋକ ରୋଗରେ ପଡ଼ିଲେ ତା’ର ପାଖରେ ନିଜ ଲୋକ ଥିଲେ ତା’ର ରୋଗ ପଚାଶ ପ୍ରତିଶତ ଭଲ ହୋଇଯାଏ । ଯଦିଓ ମୋ ଭାଇ ତା’ ସାନଭାଇ ପାଇଁ ସବୁକିଛି କରିଥିଲା, ପରିବାରକୁ ଏକାଠି କରି ଆଗକୁ ବଢ଼ୁଥିଲା, କାହାକୁ କେବେ ପାତର ଅନ୍ତର କରି ଦେଖୁନଥିଲା; ମାତ୍ର ଦୁଃଖର କଥା-ସାନଭାଇ ହିସାବରେ ଶେଷ ସମୟରେ ତା’ର ସାମାନ୍ୟତମ ସେବା କରିବାର ସୁଯୋଗ ସେ ଦେଇ ନ ଥିଲା । ଏବେ ମନେ ମନେ ଭାବୁଛି, କାହିଁକି କତୃପକ୍ଷଙ୍କୁ ଅନୁରୋଧ ନ କରି ସେ ସମ୍ କୋଭିଡ଼୍ ଆଇସିୟୁରେ ଥିଲାବେଳେ ମୁଁ ଗୋଟେ ପିପିକିଟ୍ ପିନ୍ଧି ତା’ ପାଖକୁ ଯାଇ ତା’ ଗୋଡ଼ ଓ ହାତ ଟିକେ ଆଉଁଷି ଦେଇ ନ ଥିଲି, ତା’ ଯନ୍ତ୍ରଣା କଥା ପଚାରି ନ ଥିଲି । ଯଦିଓ ସମ୍ ଅଲ୍ଟିମେଟ୍ରେ ସକାଳୁ ସଞ୍ଜଯାଏଁ ତାଙ୍କ ଆଇସିୟୁ ବେଡ଼୍ ପାଖକୁ ଯାଉଥିଲି; କିନ୍ତୁ ଆଇସିୟୁରେ ତାଙ୍କୁ ଇନ୍ଫେକ୍ସନ୍ ହେବା ଭୟରେ ତାଙ୍କ ପାଦ ଆଉଁସି ଦେଉ ପାରୁ ନ ଥିଲି; କିନ୍ତୁ ସବୁବେଳେ ପଚାରୁଥିଲି, “ଭାଇ, ଭଲ ଲାଗୁଛି” । ଖାଲି ହଁ ଟାଏ ମାରୁଥିଲା; ମାତ୍ର ଅକ୍ସିଜେନ୍ ଲାଗିଥିବାରୁ ଏବଂ ଭେଂଟିଲେଟର ଥିବାରୁ କିଛି କହିପାରୁ ନ ଥିଲା । ଆଶା କରିଥିଲି ଭଲ ହୋଇଗଲେ ଘରେ ଗୋଟିଏ କାଚ ଡୋର୍ ଲଗାଇବି ଏବଂ ଇନ୍ଫେକସନ୍ କେମିତି ନ ହେବ ତା’ର ବ୍ୟବସ୍ଥା କରିବି ଏବଂ ତାଙ୍କର ସବୁଦିନେ ସେବାଶୁଶ୍ରୂଷା କରିବି; ମାତ୍ର ସେ ଆଶା ମୋର ଆଶାରେ ରହିଗଲା । କାରଣ ସମସ୍ତେ ଜାଣିଥିଲେ, ସେ ମୋତେ ତା’ର ଭାଇ ନୁହେଁ ପୁଅ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲା । ଭାଗ୍ୟରେ ଥିଲେ ଏପରି ଭାଇ ମିଳନ୍ତି । ସବୁଦିନ ପାଇଁ ସେ ଆମକୁ ଛାଡ଼ି ଇହଲୀଳା ତ୍ୟାଗ କଲେ । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା, “ଯଦି କେବେ ମୋତେ ପୁନର୍ଜନ୍ମ ଦିଅନ୍ତି, ତା’ହେଲେ ତାଙ୍କର ସାନଭାଇ କିମ୍ବା ପୁଅ ହୋଇ ଜନ୍ମ ହେବାର ସୌଭାଗ୍ୟ ଦିଅନ୍ତୁ ଯାହାଫଳରେ ଏ ଜନ୍ମରେ ସେବା କରି ପାରି ନ ଥିବାରୁ ଯେଉଁ ଦୁଃଖ ଓ ଗ୍ଲାନି ପ୍ରତିଦିନ ମୋ ହୃଦୟରେ ଉଙ୍କି ମାରୁଛିି, ତାହା ସବୁଦିନ ପାଇଁ ଲୋପ ପାଇଯିବ ଏବଂ ତାଙ୍କୁ ସେବାକରି ମୋ ପ୍ରତି କରିଥିବା ସମସ୍ତ ଋଣର ପରିଶୋଧ କରିବି” ।
ଏମ୍ – ୮୩, ବରମୁଣ୍ଡା ହାଉସିଂବୋର୍ଡ଼ କଲୋନୀ,ଭୁବନେଶ୍ୱର
ମୋବାଇଲ୍ : ୯୪୩୭୦୮୧୪୪୭