30.1 C
Bhubaneswar
Monday, May 6, 2024
Homeକରୋନାଆଇସିଏମ୍‌ଆର ୪ର୍ଥ ସେରୋ ସର୍ଭେ ରିପୋର୍ଟ : ୪୦ କୋଟି ଲୋକଙ୍କ ଶରୀରରେ ଆଣ୍ଟିବଡି ନାହିଁ

ଆଇସିଏମ୍‌ଆର ୪ର୍ଥ ସେରୋ ସର୍ଭେ ରିପୋର୍ଟ : ୪୦ କୋଟି ଲୋକଙ୍କ ଶରୀରରେ ଆଣ୍ଟିବଡି ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଦେଶର ୪୦ କୋଟି ଲୋକଙ୍କ ଶରୀରରେ କୋଭିଡ୍‌କୁ ପ୍ରତିରୋଧ କରିବାଭଳି ଆଣ୍ଟିବଡି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜୁନ୍‌-ଜୁଲାଇରେ କରାଯାଇଥିବା ୪ର୍ଥ ସେରୋ ସର୍ଭେ ରିପୋର୍ଟକୁ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ) ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୬ରୁ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା । କୋଭିଡ୍ ସଂକ୍ରମଣର ମୁକାବିଲା କରିବାକୁ ସେମାନଙ୍କ ଶରୀର କେତେଦୂର ପ୍ରସ୍ତୁତ, ତାହା ଅନୁଧ୍ୟାନ କରିବା ଏହି ସର୍ଭେର ମୂଳ ଲକ୍ଷ୍ୟ ରହିଥିଲା ।

ରିପୋର୍ଟ ଅନୁଯାୟୀ ୬୭.୬ ପ୍ରତିଶତ ଲୋକଙ୍କ ଶରୀରରେ ଆବଶ୍ୟକ ଆଣ୍ଟିବଡି ଥିବାବେଳେ ୪୦ କୋଟି ଲୋକ ଏବେମଧ୍ୟ କୋଭିଡ୍‌ର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ରହିଛି । ପୁନଶ୍ଚ ୬-୧୭ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଶରୀରରେ ଆବଶ୍ୟକ ଆଣ୍ଟିବଡି ରହିଥିବା କୁହାଯାଇଛି ।୪୫-୬୦ ବର୍ଷ ବୟସବର୍ଗର ୭୭.୬% ଲୋକଙ୍କ ଶରୀରରେ ସବୁଠାରୁ ଅଧିକ ଆଣ୍ଟିବଡି ଥିବାବେଳେ ଏହାପଛକୁ ୬୦ ବର୍ଷରୁ ଊର୍ଦ୍ଧ୍ୱ (୭୬.୭%) ଓ ୧୮-୪୪ ବର୍ଷ (୬୬.୭%) ବୟସ୍କ ବ୍ୟକ୍ତି ରହିଛନ୍ତି ।

ସର୍ଭେରେ ସାମିଲ କରାଯାଇଥିବା ଶିଶୁଙ୍କୁ ଦୁଇଟିି ବର୍ଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ୬-୯ ବର୍ଷ ଓ ଅନ୍ୟ ବର୍ଗରେ ୧୦-୧୭ ବର୍ଷର ପିଲା ରହିଥିଲେ । ପ୍ରଥମ ବର୍ଗରେ ୫୭.୨% ପିଲାଙ୍କ ଶରୀରରେ ଆବଶ୍ୟକ ଆଣ୍ଟିବଡି ଥିବାବେଳେ ଦ୍ୱିତୀୟ ବର୍ଗରେ ଏହା ୬୧.୬% ଥିବା ଜଣାପଡିଛି । ପିଲାଙ୍କ ବ୍ୟତୀତ ୪ର୍ଥ ସେରୋ ସର୍ଭେରେ ବିଭିନ୍ନ ଜିଲ୍ଲାରୁ ୭୨୫୨ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଗୋଟିଏ ହେଲେ ଡୋଜ୍ ନେଇନଥିବାବେଳେ ୮୫.୨%ଙ୍କ ଶରୀରରେ ଆଣ୍ଟିବଡି ରହିଥିବା ଜଣାପଡିଛି । ପୁନଶ୍ଚ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ୧୩ ପ୍ରତିଶତ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଜଣାପଡିଛି ।

ବିଲକୁଲ ଟିକା ନେଇନଥିବା ଲୋକଙ୍କ ମଧ୍ୟରୁ ୬୨.୩% ଲୋକଙ୍କ ଶରୀରରେ ଆଣ୍ଟିବଡି ଥିବାବେଳେ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରୁ ୮୧% ଓ ଦୁଇଟି ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରେ ଏହି ହାର ୮୯.୮% ରହିଥିବା କୁହାଯାଇଛି । ୪ର୍ଥ ସେରୋ ସର୍ଭେ ରିପୋର୍ଟ ସନ୍ତୋଷଜନକ ରହିଥିଲେ ସୁଦ୍ଧା ଏହାକୁ ନେଇ ଆତ୍ମସନ୍ତୋଷ ପ୍ରକାଶ କରିବା ଅନୁଚିତ ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ଡାଃ ବଳରାମ ଭାର୍ଗବ ଚେତାବନୀ ଦେଇଛନ୍ତି । ସ୍କୁଲ ଖୋଲିବା ପ୍ରସଙ୍ଗରେ ଡାଃ ଭାର୍ଗବ କହିଛନ୍ତି ଯେ ପ୍ରାଥମିକ ସ୍କୁଲ ଖୋଲାଯିବାରେ କୌଣସିି ଅସୁବିଧା ନାହିଁ । କାରଣ ବୟସ୍କଙ୍କ ତୁଳନାରେ ଛୋଟ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ ରହିଥାଏ । ତେବେ ପ୍ରାଥମିକ ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ସପୋର୍ଟ ଷ୍ଟାଫ୍ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking