33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜେଫ୍ ବୋଜେସ୍‌ଙ୍କ ସଫଳ ମହାକାଶ ଯାତ୍ରା

ଜେଫ୍ ବୋଜେସ୍‌ଙ୍କ ସଫଳ ମହାକାଶ ଯାତ୍ରା

ୱାଶିଂଟନ: ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍ ବୋଜେସ୍ ସଫଳତାର ସହ ମହାକାଶ ଯାତ୍ରା ସ୍ୱପ୍ନକୁ ସାକାର କରିଛନ୍ତି । ମଙ୍ଗଳବାର ବୋଜେସ୍‌ଙ୍କ ବ୍ୟତୀତ ଅନ୍ୟ ତିନି ମହାକାଶଚାରୀଙ୍କୁ ନେଇ ବ୍ଲୁ ଅରିଜିନ୍ କମ୍ପାନୀର ନ୍ୟୁ ଶେଫର୍ଡ ରକେଟ ମହାକାଶର କାମ୍ରାନ ଲାଇନ (ପୃଥିବୀ ପୃଷ୍ଠରୁ ୧୦୦ କିମି ଉଚ୍ଚ) ଛୁଇଁବାପରେ ପୁଣି ଆମେରିକାର ପଶ୍ଚିମ ଟେକ୍ସାସ୍‌ରେ ଅବତରଣ କରିଛି । ଏହି ପ୍ରକ୍ରିୟା ମାତ୍ର ୧୦ ମିନିଟ ମଧ୍ୟରେ ଶେଷ ହୋଇଥିଲା । ନିଜ କମ୍ପାନୀର ଯାନରେ ମହାକାଶକୁ ଯାତ୍ରା କରିବାରେ ବୋଜେସ୍ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଉଦ୍ୟୋଗପତି । ସୂଚନାଯୋଗ୍ୟ ଚଳିତମାସ ୧୧ରେ ୭୧ ବର୍ଷୀୟ ବ୍ରିଟିଶ ଶିଳ୍ପପତି ରିଚାର୍ଡ ବ୍ରାନସନ ନିଜର ‘ଭର୍ଜିନ ଗାଲାଟିକ୍‌’ ଯାନରେ ସଫଳତାର ସହ ମହାକାଶ ଯାତ୍ରା କରି ଫେରିଆସିଛନ୍ତି । ତେବେ ଭର୍ଜିନ ଗାଲାଟିକ୍ ପୃଥିବୀ ପୃଷ୍ଠରୁ ୯୦ କିମି ଉଚ୍ଚତାକୁ ଯାଇଥିବାବେଳେ ବ୍ଲୁ ଅରିଜିନ୍ ଆଉ ୧୬ କିମି ଉପରକୁ ଯାତ୍ରା କରିଛି ।

ବୋଜେସ୍‌ଙ୍କ କମ୍ପାନୀ ‘ବ୍ଲୁ ଅରିଜିନ୍‌’ର ଏହା ହେଉଛି ପ୍ରଥମ ମହାକାଶ ଯାତ୍ରା । ଏହି ମହାକାଶ ଯାତ୍ରା ନିମନ୍ତେ ସୁଯୋଗ ପାଇଥିବା ଅନ୍ୟ ତିନିଜଣ ହେଲେ ବୋଜେସ୍‌ଙ୍କ ଭାଇ ମାର୍କ ବୋଜେସ୍‌, ଜଣେ ୮୨ ବର୍ଷୀୟା ପୂର୍ବତନ ପାଇଲଟ୍ ୱାଲି ଫଙ୍କ୍ ଓ ତୃତୀୟ ଜଣକ ହେଉଛନ୍ତି ଟିକେଟ କାଟିଥିବା ୧୮ ବର୍ଷୀୟ ଡଚ୍ ନାଗରିକ ଅଲିଭର ଡାଇମେନ୍ । ମହାକାଶ ଯାନଟି ପୃଥିବୀପୃଷ୍ଠରୁ ୧୦୬ କିମି ଉଚ୍ଚତାକୁ (କାମ୍ରାନ ଲାଇନ୍‌) ଉଡିବାପରେ ପୁଣି ଧରାପୃଷ୍ଠକୁ ଫେରିଆସିଥିଲା । ଏହି ଯାତ୍ରାକାଳରେ ଚାରି ମହାକାଶଚାରୀ କିଛି ସମୟ ପାଇଁ  ଜିରୋ ଗ୍ରାଭିଟି (ଶୁନ୍ୟ ମାଧ୍ୟାକର୍ଷଣ ଶକ୍ତି)ର ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ ।

ମହାକାଶ ଯାତ୍ରା ନିମନ୍ତେ ବୋଜେସ ଜୁଲାଇ ୨୦ ତାରିଖ ଧାର୍ଯ୍ୟ କରିଥିଲେ । ଏହାର କାରଣ ଥିଲା, ୧୯୬୯ ଜୁଲାଇ ୨୦ରେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଆପୋଲୋ-୧୧ ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଚଳିତବର୍ଷ ବ୍ଲୁ ଅରିଜିନ୍ ଆଗ୍ରହୀ ଯାତ୍ରୀଙ୍କୁ ନେଇ ଆଉ ଦୁଇଥର ମହାକାଶକୁ ଯାତ୍ରା କରିବ ବୋଲି କମ୍ପାନୀର ସିଇଓ ବବ୍ ସ୍ମିଥ୍ ସୂଚନା ଦେଇଛନ୍ତି । ମହାକାଶ ପର୍ଯ୍ୟଟନକୁ ବାସ୍ତବ ରୂପ ଦେବାକୁ ଜେଫ୍ ବୋଜେସ୍ ୨୦୦୦ ମସିହାରେ ୱାଶିଂଟନ ନିକଟସ୍ଥ କେଣ୍ଟ୍ ନିକଟରେ ବ୍ଲୁ ଅରିଜିନ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking