29.1 C
Bhubaneswar
Saturday, April 27, 2024
Homeଓଡିଶାଆଦିବାସୀପଡ଼ା ପାଇଁ ସରକାରୀ ଯୋଜନା ସାତସପନ

ଆଦିବାସୀପଡ଼ା ପାଇଁ ସରକାରୀ ଯୋଜନା ସାତସପନ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ କେରମେଲି ପଞ୍ଚାୟତ ସମରା(ଆଦିବାସୀ)ପଡାବାସୀଙ୍କ ପାଇଁ ଏବେ ସରକାରୀ ଯୋଜନା ସାତସପନ ପାଲଟି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ଅଯୋଧ୍ୟା ଦେବଗୁରୁ(୬୫) ଦୁର୍ବିସହ ଜୀବନ ବଞ୍ଚୁଥିବାବେଳେ ଜୀବନ କାଳ ମଧ୍ୟରେ ଏତେ ଦୁଃଖ ଦୁର୍ଦ୍ଦଶା ଭୋଗି ଆସୁଥିବା ବେଳେ ସରକାରୀ ଯୋଜନା ତାଙ୍କ ଠାରୁ ବହୁ ଦୂରରେ । ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସରକାରୀ ବାବୁମାନଙ୍କ ପାଇଁ ସେ ଉପହାସ ପାଲଟି ଯାଇଛନ୍ତି । ଅଯୋଧ୍ୟା କୁହନ୍ତି ଅନେକ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁଛି । ମୋତେ କାହିଁକି ନୁହେଁ । ମୋତେ ଓ ମୋର ଘର ସ୍ଥିତି ସରକାର ଦେଖନ୍ତୁ, ତା’ ପରେ ମୋତେ ଘର ଖଣ୍ଡିଏ ଦେବେ । ଘରକୁ ପଲିଥିନ୍‌ରେ ଢାଙ୍କିଛି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଆମ ଗ୍ରାମକୁ ଆସିଲେ ମୋର ଦୁଃଖ ଜଣାଉଛି ହେଲେ ଶୁଣିବ କିଏ ? ଭତ୍ତା ମଧ୍ୟ ମିଳିପାରି ନାହିଁ । ଦୀର୍ଘ ୫ବର୍ଷ ହେଲାଣି ପାରାଲିସିସ୍ ରୋଗର ଶିକାର ହେବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଆମେ ଆଦିବାସୀ ଲୋକ । କିଛି ଗଛ ସଂଗ୍ରହ କରି ମହାଲକ୍ଷ୍ମୀଙ୍କ ମୃତ୍ତି ତିଆରି କରିବା ସହ ଭିକ୍ଷା ବୃତ୍ତି କରି ମୋର ପୁଅମାନେ ଘର ଚଳାଉଛନ୍ତି ।

ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ନା ସବୁକିଛି ଦେଖି ନ ଦେଖିଲା ପରି ଅଭିନୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଯୋଧ୍ୟା । ବାର୍ଦ୍ଧକ୍ୟ ପୀଡା ତାଙ୍କୁ ଯେତିକି କଷ୍ଟ ଦେଉଛି, ତା’ ଠାରୁ ଢେର ଅଧିକା ନେତା ଓ ବାବୁଙ୍କମାନଙ୍କ ଠାରୁ ପାଉଥିବା ନୈରାଶ୍ୟ ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିବା କହିଛନ୍ତି । ପରିବାର କହିଲେ ତାଙ୍କ ଦିନ ମଜୁରିଆ ଦୁଇ ପୁଅ, ବୋହୂ ସାଙ୍ଗକୁ ନାତି ମାନେ । ଦିନ ମଜୁରୀ କରି ପୁଅବୋହୂ କଷ୍ଟରେ ପରିବାର ଚଳାଉଛନ୍ତି । ତେବେ ଆମକୁ କିଛି ସାହାଯ୍ୟ କରନ୍ତୁ ବାବୁ ବୋଲି କୋହଭରା କଣ୍ଠରେ ଦୁଃଖ ଜଣାଇଛନ୍ତି । ଠିକ୍ ସେହିଭଳି ଗାଁ’ର କୁନ୍ତଳା ରଣାଙ୍କ ପାଇଁ ମଧ୍ୟ ସରକାରୀ ଆବାସ ଯୋଜନାର ସ୍ୱପ୍ନ ବହୁତ ଦୂର । ତାଙ୍କ ଆଉ ସାହା ଭରସା । ସ୍ୱାମୀ କିଛି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । କରୋନା କାଳରେ କାମଧନ୍ଦା ଅଭାବରୁ ଅନଟନରେ ଓ ଭୋକରେ ଦିନ କାଟିବାକୁ ପଡୁଛି ବୋଲି କୁହନ୍ତି ଅନ୍ୟଜଣେ ହିତାଧିକାରୀ କୁନ୍ତଳା । ତେବେ ପଲିଥିନ ତଳେ ରହୁଛନ୍ତି କୁନ୍ତଳାଙ୍କ ପରିବାର ଲୋକେ । ଘର ଖଣ୍ଡିକ ପାଇଁ ଭୋଟ ସମୟରେ ଅନେକ ରାଜନେତା ଆସି ପ୍ରତିଶ୍ରୁତି ଦେଇଥିଲେ ତୁମକୁ ଘର ମିଳିବ ହେଲେ ଘର ମିଳିବା ତ ଦୂରର କଥା ଏହି ଆଦିବାସୀପଡାକୁ ନେତାଙ୍କ ପାଦ ପଡିବା ସାତସପନ ପାଲଟିଛି ।

ଏହି ବସ୍ତିରେ ଜଣେ କି ଦୁଇ ଜଣ ନୁହେଁ, ବରଂ ବସ୍ତିର ବାସିନ୍ଦା ଜୟନ୍ତୀ ରଣା, ରାଜେନ୍ଦ୍ର ଦେବଗୁରୁ ଭଳି ଅନେକ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ପଡ଼ା ପାଇଁ ପାଦ ଚଲା ପାଇଁ ଭଲ ରାସ୍ତା ଖଣ୍ଡିଏ ନ ଥିବା ବେଳେ ବର୍ଷା ଦିନରେ ସମସ୍ୟା ଦିଗୁଣ ହୋଇଯାଏ । ଏନେଇ ସଇଁନ୍ତଳା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ଘର ଦେବା ମୋର ହାତରେ ନାହିଁ, କିଛି ସମସ୍ୟା ଅଛି ଯଦି ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତର ସହ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking