34.1 C
Bhubaneswar
Saturday, April 27, 2024
Homeଖେଳରଣ୍‌ଜୀ ଟ୍ରଫି: ଝାଡ଼ଖଣ୍ଡ ୮୮୦, ଚତୁର୍ଥ ସର୍ବୋଚ୍ଚ

ରଣ୍‌ଜୀ ଟ୍ରଫି: ଝାଡ଼ଖଣ୍ଡ ୮୮୦, ଚତୁର୍ଥ ସର୍ବୋଚ୍ଚ

କୋଲ୍‌କାତା : ଏଠାରେ ଚାଲିଥିବା ରଣ୍‌ଜୀ ଟ୍ରଫି ପ୍ରିକ୍ୱାର୍ଟର୍ ମୁକାବିଲାର ତୃତୀୟ ଦିନରେ ଝାଡ଼ଖଣ୍ଡ ଦଳ ପ୍ରତିପକ୍ଷ ନାଗାଲାଣ୍ଡ୍ ବୋଲରଙ୍କୁ ନିର୍ଧୂମ୍ ପ୍ରହାର ପ୍ରକ୍ରିୟା ଜାରି ରଖି ୮୮୦ ରନ୍ କରିଛି । ଏହା ରଣ୍‌ଜୀ ଟ୍ରଫି ଇତିହାସରେ ଚତୁର୍ଥ ସର୍ବୋଚ୍ଚ ସ୍କୋର୍ । ସୋମବାର ପୂର୍ବଦିନର ସ୍କୋର୍ ୭୬୯/୯ରୁ ଖେଳ ଆରମ୍ଭ କରି ଶତକୀୟ ଇନିଂସ ସହ ଅପରାଜିତ ଥିବା ଶାହବାଜ୍ ନଦିମ୍ (୧୨୩) ଓ ରାହୁଲ୍ ଶୁକ୍ଳ (୨୯) ସେମାନଙ୍କ ମଧ୍ୟରେ ଶେଷ ୱିକେଟ୍ ଭାଗୀଦାରୀକୁ ୩୨୩ ବଲ୍‌ରେ ୧୯୧ ରନ୍‌ରେ ପହଞ୍ଚାଇଥିଲେ । ଦଳ ୨୦୩.୪ ଓଭର୍‌ରେ ଅଲ୍‌ଆଉଟ୍ ହେବା ପୂର୍ବରୁ ରଣ୍‌ଜୀ ଇତିହାସରେ ଚତୁର୍ଥ ସର୍ବୋଚ୍ଚ ଦଳୀୟ ସ୍କୋର୍ କରିସାରିଥିଲା । ଶେଷ ୱିକେଟ୍‌ରେ ହୋଇଥିବା ଭାଗୀଦାରୀ ମଧ୍ୟ ଇନିଂସର ସର୍ବାଧିକ ଥିଲା । ଦଳ ସମ୍ଭବତଃ ବେଙ୍ଗଲ ବିପକ୍ଷରେ କ୍ୱାର୍ଟର୍ ଫାଇନାଲ୍ ଖେଳିବାକୁ ଥିବା ବେଳେ ଏଠାକାର ନିର୍ଜୀବ ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ମାନେ ଭଲ ଅଭ୍ୟାସ କରିଥିବା ଝାଡ଼ଖଣ୍ଡ ବ୍ୟାଟିଂ କୋଚ୍ ସତୀଶ ସିଂହ କହିଛନ୍ତି । ଶେଷ ୱିକେଟ୍ ଭାବେ ନଦିମ୍‌ଙ୍କୁ ନାଗାଲାଣ୍ଡ୍‌ର ବାମହାତୀ ସ୍ପିନର୍ ଲମ୍‌ଲିବଟି ଲେମଟୁର୍ ଆଉଟ୍ କରିଥିଲେ । ସେତେବେଳକୁ ନଦିମ୍ ୨୨ଟି ଚୌକା ଓ ୨ଟି ଛକା ସହ କ୍ୟାରିୟର୍ ଶ୍ରେଷ୍ଠ ୧୭୭ ରନ୍ କରିସାରିଥିଲେ । ଅନ୍ୟପଟେ ଅପରାଜିତ ଥିବା ଶୁକ୍ଳା ୭ଟି ଚୌକା ଓ ୬ଟି ଛକା ସହ ୮୫ ରନ୍ କରିଥିଲେ । ଦିନର ଖେଳ ଶେଷ ସୁଦ୍ଧା ନାଗାଲାଣ୍ଡ୍ ୪ ୱିକେଟ୍ ବିନିମୟରେ ୧୩୦ ରନ୍ କରିଛି । ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଚେତନ ବିଷ୍ଟ୍ ୪୬ ଓ ଅବୁ ନେଚିମ୍ ୧୩ ରନ୍ କରି ଅପରାଜିତ ଅଛନ୍ତି । ମଙ୍ଗଳବାର ମ୍ୟାଚ୍‌ର ଶେଷ ଦିନ ଥିବାରୁ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଝାଡ଼ଖଣ୍ଡ ଆସନ୍ତା ଜୁନ୍‌ରେ ହେବାକୁ ଥିବା କ୍ୱାର୍ଟର୍ ମୁକାବିଲା ଖେଳିବା ଏକରକମ ନିଶ୍ଚିତ ହୋଇଛି । ସୂଚନାଯୋଗ୍ୟ ଯେ ରଣ୍‌ଜୀ ଟ୍ରଫି ଇତିହାସରେ ହାଇଦ୍ରାବାଦ ନାମରେ ସର୍ବାଧିକ ସ୍କୋର୍ (୯୪୪/୬) ରହିଥିବା ବେଳେ ସୂଚୀରେ ହୋଲ୍‌କର୍ (୯୧୨/୮) ଦ୍ୱିତୀୟ ସ୍ଥାନରେ ଓ ତାମିଲନାଡ଼ୁ (୯୧୨/୬) ତୃତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking