30.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ରାଜ୍ୟସଭା: ହତାଶ ହେଲେ ପାଟ୍ଟଶାଣୀ, ଚ୍ୟାଉପଟ୍ଟନାୟକ

ରାଜ୍ୟସଭା: ହତାଶ ହେଲେ ପାଟ୍ଟଶାଣୀ, ଚ୍ୟାଉପଟ୍ଟନାୟକ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ପୁଣି ହତାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ରାଜ୍ୟସଭାକୁ ଯିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ ଆଶାରେ ରଖି ନିର୍ବାଚନ ପରଠାରୁ ଅନେଇ ବସିଥିଲେ ପାଟ୍ଟଶାଣୀ ଓ ଚ୍ୟାଉ ପଟ୍ଟନାୟକ । ଗତବର୍ଷ ୩ ଆସନ ଖାଲି ହେଲା । ହେଲେ ଏମାନଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଏବର୍ଷ ୪ ଆସନ ଖାଲି ହେଲା ତଥାପି ବି ଏମାନଙ୍କୁ ମିଳିଲାନାହିଁ । ନବୀନ ପ୍ରତିଶ୍ରୁତି ଦେଇଥିବାରୁ ଏହି ଦୁଇ ନେତା ବହୁ ଆଶାଧରି ବସିଥିଲେ । ଏପରି କି ଗଣମାଧ୍ୟମରେ ମଧ୍ୟ ଖୋଲାଖୋଲି ଭାବେ ନବୀନଙ୍କ ପ୍ରତିଶ୍ରୁତି କଥା ମନେ ପକାଇ ରାଜ୍ୟସଭାକୁ ଯିବା ପାଇଁ କିପରି ଗୋଡ଼ ଟେକି ବସିଛନ୍ତି ସେ ବିଷୟରେ ମଧ୍ୟ ସୂଚାଇଥିଲେ । ଶ୍ରୀ ଚ୍ୟାଉପଟ୍ଟନାୟକ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦେଇଥିଲେ । ହେଲେ ତାଙ୍କୁ ନିରଶ ହେବାକୁ ପଡ଼ିଛି । ରାତ ଗୟି ତ ବାତ ଗୟି ଭଳି ନିର୍ବାଚନ ସମୟରେ ଆବଶ୍ୟକ ଥିବାରୁ ନବୀନ ଲୋଭ ଦେଖାଇ ଦୁଇ ନେତା ଓ ତାଙ୍କ ସମର୍ଥକଙ୍କ ମୁହଁକୁ ବନ୍ଦ କରିବାକୁ ଚାହିଁଥିଲେ । ଆଉ ଏବେ ଆଉ ନିର୍ବାଚନ ନ ଥିବାରୁ କିମ୍ବା ସେ ବିରୋଧାଭାବ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ନବୀନ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ।
କିନ୍ତୁ ପ୍ରତିଶ୍ରୁତି ଦେଇଥିବାରୁ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ନ ପଠାଇ ଥିଲେ ବି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ଥଇଥାନ କରିଛନ୍ତି । ଏପରି କି ତାଙ୍କୁ କ୍ୟାବିନେଟ ପାହ୍ୟାର ମର୍ଯ୍ୟାଦା ମିଳିବ ବୋଲି ନବୀନ କହିଛନ୍ତି । ରାଜ୍ୟସଭା ଯିବା ପାଇଁ ବହୁ ଆଶା ବାନ୍ଧିଥିବା ଶ୍ରୀ ଚ୍ୟାଉପଟ୍ଟନାୟକ ଏଥିରେ ସନ୍ତୁଷ୍ଟ ହେଉଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦଳ ସୁପ୍ରିମୋଙ୍କ ମତ ବିରୋଧରେ ସେ ଯିବେ ନାହିଁ ବୋଲି କୁହାଯାଉଛି । ମନ ଭିତରେ କ୍ଷୋଭ ନିଶ୍ଚିତ ଥିବ, ଅପମାନିତ ମଧ୍ୟ ବୋଧ କରୁଥିବେ । ହେଲେ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ତାଙ୍କୁ ରାଜ୍ୟସଭାକୁ ନବୀନ ପଠାଇବେ ନାହିଁ ଏ କଥା ମଧ୍ୟ ପୂର୍ବରୁ ସୂଚନା ମିଳିଥିଲା । କାରଣ ରାଜ୍ୟସଭାକୁ ଯିବା ପାଇଁ ନିଜେ ଚ୍ୟାଉପଟ୍ଟନାୟକ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ । ହେଲେ ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ଆଉ ପ୍ରତିଶ୍ରୁତି ଦେଇ ନ ଥିଲେ । ନିଜେ ଚ୍ୟାଉପଟ୍ଟନାୟକ ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଥିଲେ । ନବୀନ ପ୍ରତିଶ୍ରୁତି ନ ଦେଲେ ବି ତାଙ୍କୁ ପଠାଇବେ ବୋଲି ତାଙ୍କର ଦୃଢ଼ ଆଶା ଥିବା ଚ୍ୟାଉପଟ୍ଟନାୟକ କହିଥିଲେ ।
ଯାହାବି ହେଲେ ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ନ ପଠାଇ ଅନ୍ୟତ୍ର ଥଇଥାନ କରାଗଲା । ହେଲେ ପାଟ୍ଟଶାଣୀଙ୍କୁ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିଛି । ୪ ଆସନ ଖାଲି ହେଲା ପରେ ଏଥର ନବୀନ ତାଙ୍କୁ ନିଶ୍ଚୟ ରାଜ୍ୟସଭା ପଠାଇବେ ବୋଲି ସେ କହିଥିଲେ । ଗଣମାଧ୍ୟମରେ ଏ ନେଇ ମତ ରଖି ପାଟ୍ଟଶାଣୀ କହିଥିଲେ ଯେ, ନବୀନ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ରକ୍ଷା କରନ୍ତି । ଏଣୁ ତାଙ୍କର ଆଶା ଅଛି ଏଥର ନବୀନ ତାଙ୍କୁ ନିରାଶ କରିବେ ନାହିଁ । ହେଲେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ନବୀନ ହତାଶ ମଧ୍ୟକୁ ଠେଲି ଦେଇଛନ୍ତି । ପାଟ୍ଟଶାଣୀଙ୍କର ଆଉ ଗୁରୁତ୍ୱ ଥିବା ନବୀନ ବୋଧହୁଏ ଭାବୁନାହାଁନ୍ତି । ପୂର୍ବରୁ ଜୁଆଡ଼େ ଯାଉଥିଲେ ପାଟ୍ଟଶାଣୀଙ୍କୁ ସାଥୀରେ ନେଉଥିଲେ । କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ । ରାଜ୍ୟସଭା ନ ପଠାଇଲେ ବି ପାଟ୍ଟଶାଣୀଙ୍କୁ ଅନ୍ୟତ୍ର ଥଇଥାନ ମଧ୍ୟ କରାଯାଇନାହିଁ ।
ଦଳୀୟ ନେତାମାନେ କହୁଛନ୍ତି ପାଟ୍ଟଶାଣୀଙ୍କୁ ଥଇଥାନ କରା ନ ଗଲେ ବି ତାଙ୍କ ଜ୍ୱାଇଁଙ୍କୁ ଥଇଥାନ କରାଯାଇଛି । ତାଙ୍କ ଜ୍ୱାଇଁ ପ୍ରୀୟଦର୍ଶୀ ମିଶ୍ରଙ୍କୁ ହାଉସିଂ ବୋର୍ଡର ଅଧ୍ୟକ୍ଷ କରାଯାଇଛି । ଜ୍ୱାଇଁଙ୍କ ପରେ ଶ୍ୱଶୂରଙ୍କୁ ଥାଇଥାନ କରାଯାଇଥାନ୍ତା କାହିଁକି । ହେଲେ ଜ୍ୱାଇଁଙ୍କ ଥଇଥାନ ପରେ ବି ପାଟ୍ଟଶାଣୀ ଭାବିଥିଲେ ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ । କିନ୍ତୁ ତାହା ହେଲାନାହିଁ ।
ଗତ ସାଧାରଣ ନିର୍ବାଚନ ସମୟରେ ପାଟ୍ଟଶାଣୀ ଓ ଚ୍ୟାଉପଟ୍ଟନାୟକଙ୍କୁ ଦଳୀୟ ଟିକେଟରୁ ବଂଚିତ କରିବା ବେଳେ ଉଭୟଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking