29.1 C
Bhubaneswar
Monday, May 6, 2024
Homeଓଡିଶାନଭେମ୍ବର ୧୪ରୁ ୧୮ ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା

ନଭେମ୍ବର ୧୪ରୁ ୧୮ ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା

ଭୁବନେଶ୍ୱର:  ସମଗ୍ର ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି । ବର୍ଷା ପରିମାଣ କମିଥିବାବେଳେ ରାଜ୍ୟରେ ଏବେ ଶୀତ ପରିମାଣ ବୃଦ୍ଧିପାଉଛି । ସକାଳୁ କୁହୁଡ଼ିର ଥଣ୍ଡା ବଳୟ ନଜରକୁ ଆସୁଥିବାବେଳେ ଓଡ଼ିଶାର ସମତଳ ଅଞ୍ଚଳ କୁହାଯାଉଥିବା ଫୁଲବାଣୀରେ ପାରଦ ୧୬ ଡିଗ୍ରୀକୁ ଖସିଆସିଛି । ସେହିପରି ପାହାଡ଼ି ଅଞ୍ଚଳ ଯଥା ଦାରିଙ୍ଗିବାଡ଼ି ଓ ଅନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଖସି ୧୨ରୁ ୧୩ ଡିଗ୍ରୀ ରହୁଛି । ହେଲେ ଏବେ ପୁଣି ରାଜ୍ୟକୁ ବର୍ଷା ଫେରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ  ଲଘୁଚାପ କ୍ଷେତ୍ର ସୃଷ୍ଟିହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆନ୍ଧ୍ର-ତେଲେଙ୍ଗାନା ଉପକୂଳ ମୁହାଁହେବ । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ଭାରୀ ବର୍ଷା ହେବା ସମ୍ଭାବନା ପ୍ରକାଶ ପାଇଛି ।

ବିଶେଷ କରି ତାମିଲନାଡ଼ୁ, ପଡ଼ୁଚେରୀ, କେରଳ ଓ ମାହେରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହାର ସାମୟିକ ପ୍ରଭାବ ଓଡ଼ିଶା ଉପକୂଳ ଉପରେ ମଧ୍ୟ ରହିବ । ଆସନ୍ତା ୩୦ ତାରିଖ ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଛି । ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ହାଲୁକା ବର୍ଷା ଅନୁଭୂତ ହୋଇଥିବାବେଳେ ଆକାଶ ମେଘାଚ୍ଛନ୍ନ ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକାଶେ ଉପକୂଳ ଅଞ୍ଚଳରେ କଳାମେଘର ବାଦଲ ନଜରକୁ ଆସିଛି । ଆସନ୍ତା ୩୦ ତାରିଖ ଯାଏଁ ପାଗରେ କିଛି ବିଶେଷ ପରିବର୍ତ୍ତନ ହେବାରନାହିଁ । ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୮ ଯାଏଁ ଜାରି ରହିବ । ଏଥିଯୋଗୁଁ ଉପକୂଳ ଅଞ୍ଚଳରେ ଶୀତର ପରିମାଣ ସାମୟିକ ଭାବେ ହ୍ରାସପାଇବ । ୧୮ ତାରିଖ ପରେ ଉପକୂଳ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧିପାଇବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି । ଆସନ୍ତା ନଭେମ୍ବର ମାସରେ ବଙ୍ଗୋପସାଗରରେ ଏକାଧିକ ଘୂର୍ଣ୍ଣିବଳୟ ଓ ପରେ ତାହା ଲଘୁଚାପରେ ପରିଣତ ହେବା ନେଇ ବିଭିନ୍ନ ପାଣିପାଗ ମଡେଲରୁ ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ ପାରଦ ୨୦ ଡିଗ୍ରୀ ତଥା ତା’ଠୁ ଉପରେ ରହିବା ସମ୍ଭାବନା ରହିଛି । ନଭେମ୍ବର ୧୮ ତାରିଖ ପରେ ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧିପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପାହାଡ଼ି ଅଞ୍ଚଳରେ ସର୍ବନିମ୍ନ ପାରଦ ସ୍ୱାଭାବିକରୁ ୩ ଡିଗ୍ରୀ ଯାଏ ଖସିବା ନେଇ ଆକଳନ କରାଯାଇଥିବାବେଳେ ଚଳିତବର୍ଷ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି ।

ବିଶେଷ କରି ଆସନ୍ତା ନଭେମ୍ବର ମାସ ୧୪ରୁ ୧୮ ମଧ୍ୟରେ ଓଡ଼ିଶାକୁ ଭାରୀ ବର୍ଷା ଆଶଙ୍କା ରହିଛି । ଉତ୍ତର-ପୂର୍ବ ତଥା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୧୨ ତାରିଖ ସୁଦ୍ଧା ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମଶଃ ଏକ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ପଶ୍ଚିମବଙ୍ଗ ତଥା ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା କରାଇବ । ବର୍ଷା ପରେ ଶୀତ ପରିମାଣ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ମତ ଦେଇଛନ୍ତି । ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତରା ପବନ ବହିବା ଆରମ୍ଭ ହେଉଥିବାରୁ ଉଭୟ ଦିନ ଓ ରାତ୍ରୀର ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବା  ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking