29.1 C
Bhubaneswar
Sunday, May 19, 2024
Homeଓଡିଶାଶୀତରେ ମାଡ଼ିଯିବ ସଂକ୍ରମଣ

ଶୀତରେ ମାଡ଼ିଯିବ ସଂକ୍ରମଣ

ଭୁବନେଶ୍ୱର: ଆଗକୁ ଆସୁଛି ଶୀତ ଋତୁ । ଶୀତରେ ସଂକ୍ରମଣର ସମ୍ଭାବନା ଅଧିକ । ରାଜଧାନୀରେ ଯେତିକି ସଂକ୍ରମଣ ହାର କମିବା ଆଶା କରାଯାଉଥିଲା, ତାହା କମିନାହିଁ । ଭୁବନେଶ୍ୱରର ହାଟ ବଜାରରେ ଜନସାଧାରଣଙ୍କ ଅସାବଧାନତା ନଜରକୁ ଆସୁଛି । ଏଣୁ ରାଜଧାନୀରେ ଏବେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଅଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା ସେତିକି ସଂକ୍ରମଣ ଏଯାବତ୍ କମିନାହିଁ । ଏହା ଚିନ୍ତାର ବିଷୟ ପାଲଟିଛି । ଭୁବନେଶ୍ୱରକୁ ବିମାନ, ଟ୍ରେନ୍ ଏବଂ ବସ୍ ଯୋଗେ ବାହାରୁ ବହୁ ଯାତ୍ରୀ ଯାତାୟାତ କରୁଥିବା ଯୋଗୁଁ ସଂକ୍ରମଣ ବଢ଼ିଛି ।

ଏନେଇ ବିଏମସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଟେଷ୍ଟିଂ, ଟ୍ରେସିଂ, ଟ୍ରିଟ୍‌ମେଣ୍ଟ ଓ ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ହେଲେ ଶୀତରେ ସଂକ୍ରମଣ ବିପଦ ଅଧିକ ଘନଉଛି । ତେଣୁ ସମସ୍ତ ନିୟମ ମାନିବା ସହ ଅଯଥାରେ ବାହାରେ ଗହଳି ନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେପଟେ ଏବେ ମଧ୍ୟ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନା ନେଉନି । ଗୋଟିଏ ପରେ ଗୋଟିଏ ନୂଆ ଭାରିଆଣ୍ଟ ତିଆରି ହେବାରେ ଲାଗିଛି । ସଂକ୍ରମଣ ସାମାନ୍ୟତମ କମିଥିଲେ ମଧ୍ୟ ବିପଦ କମିନି । ଦେଶରେ କରୋନାର ନୂଆ ଉପପ୍ରଜାତି ଏୱାଇ ୪.୨ କାୟା ମେଲାଇବାରେ ଲାଗିଛି । ନୂଆ ଭାରିଆଣ୍ଟ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଥିବାବେଳେ ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି ।

ଯଦିଓ ଓଡ଼ିଶାରେ ଏଯାଏ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନି, ତଥାପି ରାଜ୍ୟରେ ସର୍ଭେଲାନ୍ସ ଉପରେ ଫୋକସ୍ କରାଯାଉଛି । ଜେନମ ସିକ୍ୟୁଏନ୍ସିଂ ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ମହାପାତ୍ର କହିଛନ୍ତି । ଡେଲ୍‌ଟା ପ୍ଲସର ନୂଆ ଭାରିଆଣ୍ଟ କିଛି ରାଜ୍ୟରେ ଦେଖାଦେଇଛି । ଏହା ଉପରେ ସତର୍କ ନଜର ରଖାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରାଯାଉଛି । ଓଡ଼ିଶାକୁ ଯାତାୟତ କରିବାରେ ଏଯାବତ୍ କିଛି ବିଶେଷ କଟକଣା ଲଗାଯାଇନାହିଁ । ବାହାରୁ ଆସୁଥିବା ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ଲୋକେ ୨ ଡୋଜ୍ ଟିକା ନେଇ ସାରିବା ପରେ ଅଧିକ ଅମାନିଆ ହେଉଥିବା ନଜରକୁ ଆସିଛି । ହାଟ ବଜାରରେ ଅତ୍ୟାଧିକ ଗହଳି ନଜରକୁ ଆସୁଥିବାବେଳେ କରୋନା ଟେଷ୍ଟିଂକୁ ଆସନ୍ତା ଡିସେମ୍ବର ଶେଷଯାଏଁ ବ୍ୟାପକ କରାଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଦୈନିକ ୬୦ରୁ ୭୦ ହଜାର ଟେଷ୍ଟିଂ କରାଯିବ ।

ସାମ୍ଭାବ୍ୟ ତୃତୀୟ ଲହର ଆସିବକି ନାହିଁ ଜଣାନାହିଁ, କିନ୍ତୁ ଲୋକମାନେ ଟେଷ୍ଟିଂକୁ ନ ଭୁଲିବା ଉଚିତ୍ ବୋଲି ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି।
ସମସ୍ତେ କରୋନା ନମୁନା ପରୀକ୍ଷା କରିବା ଉଚିତ୍ । ଡବଲ୍ ଡୋଜ ଟିକା ନେଇଥିଲେ ବି ଲକ୍ଷଣ ଥିଲେ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ବି ରାଜ୍ୟରେ ପ୍ରାୟ ୪ ହଜାର ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଯଦି ସଂକ୍ରମଣ ଉଦ୍‌ବେଗଜନକ ଭାବରେ ବଢ଼େ ତେବେ ପୂର୍ବ ନିୟମ ହୁଏତ ଫେରିପାରେ । ମ୍ୟୁଟେସନ ଭୂତାଣୁର ଏକ ସ୍ୱାଭାବିକ ପ୍ରକ୍ରିୟା । ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଣ୍ଡେମିକ ସମୟକୁ ଫେରିବାକୁ ହେଲେ ମୃତ୍ୟୁସଂଖ୍ୟା ସମ୍ପୂର୍ଣ୍ଣ କମିବା ଜରୁରୀ । ସାମ୍ଭାବ୍ୟ ତୃତୀୟ ଲହର ଯଦି ଆସେ ତେବେ ଏଥିପାଇଁ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ । ରୋଗ ପରିଚାଳନାରେ ଆମେ ଅଭିଜ୍ଞତା ପାଇଗଲେଣି । ସବୁ ୠତୁରେ କରୋନା ସକ୍ରିୟ ରହୁଛି । ତେଣୁ ଟେଷ୍ଟ କରାଇବା ଜରୁରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking