39.1 C
Bhubaneswar
Friday, April 26, 2024
Homeଓଡିଶାରଥଖଳା ଚଳଞ୍ଚଚଳ, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରଥଖଳା ଚଳଞ୍ଚଚଳ, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ୩ରଥର ନିର୍ମାଣ କାର୍ଯ୍ୟ । ମହାରଣା, ରଥଭୋଇ, କରତି, ରୂପକାର ଓ ଚିତ୍ରକର ସେବକମାନେ ହୋଇଉଠିଛନ୍ତି ଅଧିକ ତତ୍ପର । ପୂର୍ବରୁ ୩ରଥର ୪ଟି ଲେଖାଏଁ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା । ଶୁକ୍ରବାର ଦୁଆର ବେଢ଼ାର ଉପରଭାଗ “ଚନ୍ଦ୍ରଶାଳୀ”ରେ “ଧ୍ୱଜବତା” ସଂଯୋଗ ହୋଇ ଦୁଆର ବେଢ଼ା ମଜବୁତ ହୋଇ ରହିବା ପାଇଁ ମଝିଭୂଇଁ ଶେଣୀରେ କଣ୍ଟା ବସି ଫିଟିଂ କରାଯାଇଛି । ଏଥିସହିତ ୩ରଥର ପ୍ରଭା ଖଞ୍ଜାଯିବା ପାଇଁ ସିଂହାସନ ବେଦୀ ପଛଭାଗ ୧୪ନାହାକାର ପଛ ୨ନାହାକାରେ ୨ଟି ଧୂଳି ଦଣ୍ଡା ଲଗାଯାଇଛି । ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ମଧ୍ୟଭାଗରେ କନକମୁଣ୍ଡି ବସି କନକମୁଣ୍ଡିରୁ ୪ଟି କାଣ୍ଡ ଓ ୨୦ଟି ରୁଅ ଗମ୍ବୁଜାକାରରେ ଖଞ୍ଜାଯାଇଛି । ଏହାପରେ ବର୍ଷା ପାଣି ନ ପଡ଼ିବା ପାଇଁ ସେଥିରେ ପିତ୍ତଳ ଚଦର ଆବରଣ ଖଞ୍ଜାଯିବ। ଶୁକ୍ରବାର ୩ରଥରେ ହାତୀ ଆଳମାଳ ବା ବତା ଫାଳିଆ ବଡ଼ଥଳ ପୋଟଳ ଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ଖଞ୍ଜାଯାଇଛି ।

ଏହା ପରେ ରଥ ୪କୋଣରେ ମଣ୍ଡନୀବତା ଲଗାଯିବ । ଏଥିସହିତ ୩ରଥର ପୋଟଳ ତଳକୁ ୪ଟି ଲେଖାଏଁ ଋଷି ପଟା ଖଞ୍ଜାଯାଇଛି । ରୂପକାର ସେବକମାନେ ୩ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ୩ରଥର ଚିତ୍ରକର ସେବକମାନେ ହଂସପଟା, ସଖି, ପାଶ୍ୱର୍ଦେବଦେବୀ, ସାରଥୀ ଓ ରଥରେ ଲଗାଯାଇଥିବା ଚାରପରିଛା ଏବଂ ପଟାଗୁଜଗୁଡ଼ିକର ରଙ୍ଗକାର୍ଯ୍ୟ ଜାରି ରଖିଛନ୍ତି । ୩ରଥର ଦରଜି ସେବକ ରଥବତା କନାରେ ଲେସ ଲଗାଇବା ପରେ ଦୁଆର ବେଢ଼ା ଉପର ଚନ୍ଦ୍ରଶାଳୀ କଟିଂ କରି ସେଥିରେ ଜରି ଲେସ ଲଗାଇବା କାର୍ଯ୍ୟ କରୁଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥରେ ଦୁଆର ବେଢ଼ା ଲଗାଯିବା ପାଇଁ ଧ୍ୱଜବତା କଣ୍ଟା ଓ ଧୂଳି ଦଣ୍ଡା କଣ୍ଟା ଯୋଗାଇବା ସହ ଘୋଡ଼ା ଏବଂ ସାରଥୀଙ୍କ ପାଇଁ ବାଗିଆ କଣ୍ଟା ଓ ଶୁଆକଣ୍ଟା ତିଆରି ସାରି ସାଇତି ରଖିଛନ୍ତି । ଶୁକ୍ରବାର ଦିନ ମୋଟ ୧୯୭ଜଣ ନିର୍ମାଣକାରୀ ରଥଖଳାରେ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking