39.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଜନନୀ ଯନ୍ତ୍ରଣା : ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା : ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

କୋରାପୁଟ : ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ଦୂର ହେଉନି। ଗାଁକୁ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀ ଭାରରେ ବୁହା ହୋଇ ନଦୀ ପାର ହୋଇ ଡାକ୍ତରଖାନାରେ ପହଂଚିଥିଲେ। ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡା ଗ୍ରାମରେ। ଗ୍ରାମର ଧବେନ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ରବିବାର ଲୋକମାନେ ଏକ ଭାରରେ ତାଙ୍କୁ ବୋହି ମୁରାନ ନଦୀ ପାର କରିଥିଲେ। ପରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଚାଂୟତର ଘାଟଗୁଡା ଗାଁକୁ ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ଯାଇ ପାରୁନି। ମୁରାନ ନଦୀ ପାର ହୋଇ ବର୍ଷ ତମାମ ଗ୍ରାମବାସୀ ଦଶମନ୍ତପୁର ଆସିଥାନ୍ତି। ରବିବାର ଏହି ଗ୍ରାମର ଧବେନ ମୁଦୁଲିଙ୍କର ଗର୍ଭ ଯନ୍ତ୍ରଣା ହେବା ପରେ ତାଙ୍କୁ ବଡ କଷ୍ଟରେ ଏକ ଭାରରେ ଗ୍ରାମବାସୀ ବୋହି ମୁରାନ ନଦୀ ପାର କରାଇଥିଲେ। ନଦୀ ପାର ହେଲା ପରେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଦଶମନ୍ତପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି। ଅପରପକ୍ଷରେ ଏହା ଏହି ଉପାନ୍ତ ଅଂଚଳର ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଚାଂୟତର ଘାଟଗୁଡା ଓ ବାଲିଘାଟ ଗ୍ରାମର ଲୋକମାନେ ନଦୀ ଆରପଟେ ଥିବାରୁ କୌଣସି କାମରେ ଦଶମନ୍ତପୁରକୁ ଆସିବା ପାଇଁ ନଦୀ ପାର ହେବାକୁ ପଡେ। ଏପରିକି ୨୦୧୧ରେ ୨ ଜଣ ଯୁବତୀ ନଦୀ ପାରି ହେବାବେଳେ ଭାସିଯାଇ ପ୍ରାଣ ହରାଇଥିଲେ। ତଥାପି ପ୍ରଶାସନର ନିଦ ଭାଙ୍ଗିନି। ନଦୀ ଉପରେ ପୋଲ ନିର୍ମାଣ କରିବା ସକାଶେ ବାରମ୍ବାର ଦାବି କରାଯାଇଥିଲେ ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking