31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବିଶ୍ୱରେ ଭୋକର ହଟସ୍ପଟ ବନିଲା ପାକିସ୍ତାନ

ବିଶ୍ୱରେ ଭୋକର ହଟସ୍ପଟ ବନିଲା ପାକିସ୍ତାନ

ଲାହୋର: ପାକିସ୍ତାନରେ ଘୋର ବିପନ୍ନ ଖାଦ୍ୟ ନିରାପତ୍ତା । ଆସନ୍ତା ମାସଗୁଡିକରେ ଏହି ସଂକଟ ଅଧିକ ତୀବ୍ର ହେବା ଆଶଙ୍କା ଦେଖାଦେଲାଣି । ଦେଶରେ ରାଜନୈତିକ ଓ ଅର୍ଥନୈତିକ ସଂକଟ ଘନୀଭୂତ ହେଉଥିବାବେଳେ ଖାଦ୍ୟ ନିରାପତ୍ତା ଅଧିକ ବିପନ୍ନ ହେବା ଆଶଙ୍କା କରାଯାଉଛି । ୨୨ଟି ରାଷ୍ଟ୍ରର ୮୧ଟି କ୍ଷୁଧାଜନିତ ହଟସ୍ପଟ ମଧ୍ୟରେ ପାକିସ୍ତାନ ଅନ୍ୟତମ । ଆସନ୍ତା ଜୁନରୁ ନଭେମ୍ବର ମଧ୍ୟରେ ଦେଶରେ ସଙ୍କଟ ଅତି ଉତ୍କଟ ହେବ ବୋଲି ଜାତିସଂଘ ଦର୍ଶାଇଛି । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ପାକିସ୍ତାନରେ ଆର୍ôଥକ ସଂକଟ ଅଧିକ ଘନୀଭୂତ ହୋଇଛି ।

ବୈଦେଶିକ ଋଣ ପରିମାଣ ପହଞ୍ଚିଲାଣି ୭୭ ଦଶମିକ ୫ ବିଲିୟନ ଡଲାରରେ । ଋଣ ବୋଝ କାରଣରୁ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବି ଋଣ ଦେବାକୁ ଅଗ୍ରାହ୍ୟ କରିଛି । ବୈଦେଶିକ ରିଜର୍ଭ ପରିମାଣ ଅଭାବରୁ ବି ଅନ୍ୟ ରାଷ୍ଟ୍ରର ସହାୟତା ସମ୍ଭବ ହୋଇପାରୁନାହିଁ । ସେପଟେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାବେଳେ ଖାଦ୍ୟପଦାର୍ଥ ଦରବୃଦ୍ଧି ପାକିସ୍ତାନକୁ ଅଧିକ ସଙ୍କଟ ଘେରକୁ ଠେଲିଦେଇଛି । ଗତବର୍ଷ ପ୍ରଳୟଙ୍କରୀ ବନ୍ୟା କାରଣରୁ ବି ପାକିସ୍ତାନ ଘୋର କ୍ଷତିର ସମ୍ମୁଖୀନ ହୋଇଥିଲା । ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଥିବାବେଳେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିହୀନତା ତୀବ୍ର ଆକାର ଧାରଣ କରିଛି । ପାକିସ୍ତାନ ପରି ଆଫଗାନିସ୍ତାନ, ନାଇଜେରିଆ, ସୋମାଲିଆ, ସାଉଥ ସୁଦାନ, ଇଥିଓପିଆ, କେନିଆ, କଙ୍ଗୋ, ସିରିଆ ଓ ୟେମେନ ଆଦି ରାଷ୍ଟ୍ର ମଧ୍ୟ ଏହି ଧରଣର ସଂକଟର ଶିକାର ହେବେ ବୋଲି ଚେତାବନୀ ଦେଇଛି ଜାତିସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking