33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୩କେନ୍ଦ୍ରୀୟ ସଂସ୍ଥାର ନୂଆ ମହାନିର୍ଦ୍ଦେଶକ ନିଯୁକ୍ତ

୩କେନ୍ଦ୍ରୀୟ ସଂସ୍ଥାର ନୂଆ ମହାନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ନୂଆ ମହାନିର୍ଦ୍ଦେଶକ (ଡିଜି) ନିଯୁକ୍ତ ହୋଇଛନ୍ତି । ଏନଆଇଏ, ଏନଡିଆରଏଫ ଓ ବିପିଆରଡିକୁ ମିଳିଛି ନୂଆ ଡିଜି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ନୂଆ ଡିଜି ହୋଇଛନ୍ତି ଆଇପିଏସ ସଦାନନ୍ଦ ବସନ୍ତ । ସେହିପରି ଏନଡିଆରଏଫର ନୂଆ ମୁଖ୍ୟ ଭାବେ ଆଇପିଏସ ପୀୟୁଷ ଆନନ୍ଦଙ୍କୁ ଓ ବିପିଆରଡର ଡିଜି ଭାବରେ ଆଇପିଏସ ରାଜୀବ କୁମାର ଶର୍ମାଙ୍କୁ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମହାରାଷ୍ଟ୍ର କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ ଅଧିକାରୀ ଅଟନ୍ତି ସଦାନନ୍ଦ ବସନ୍ତ । ସେ ନିଜର କଡ଼ା ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା । ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ତାଙ୍କୁ ଏନଆଇଏ ଡିଜି ଭାବେ ନିଯୁକ୍ତ କରାଯାଇଛି । ଦିନାକର ଗୁପ୍ତାଙ୍କ ସ୍ଥାନରେ ତାଙ୍କୁ  ଏହି ନିଯୁକ୍ତି ମିଳିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବର୍ତ୍ତମାନ ଏନଆଇଏ ମୁଖ୍ୟ ଥିବା ଦିନାକର ଗୁପ୍ତା ଅବସର ନେବାକୁ ଯାଉଛନ୍ତି ।
ସେହିପରି ଉତ୍ତରପ୍ରଦେଶ କ୍ୟାଡରର ୧୯୯୧ ବ୍ୟାଚ ଆଇପିଏସ ଅଫିସର ଥିବା ପୀୟୁଷ ଆନନ୍ଦ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ନୂଆ ଡିଜି ଭାବରେ ଦାୟିତ୍ୱ ପାଇଛନ୍ତି । ବର୍ତ୍ତମାନର ଏନଡିଆରଏଫ ମୁଖ୍ୟ ଥିବା ଅତୁଲ କରୱାଲଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରୁ ଶେଷ ହେଉଥିବାରୁ ପୀୟୁଷ ଆନନ୍ଦଙ୍କୁ ନୂଆ ଡିଜି ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।
ଅନ୍ୟପକ୍ଷରେ ରାଜସ୍ଥାନ କ୍ୟାଡରର ଆଇପିଏସ ଅଫିସର ରାଜୀବ କୁମାର ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ)ର ନୂଆ ଡିଜି ନିଯୁକ୍ତ ହୋଇଛନ୍ତି । ୩୦ ଜୁନ ୨୦୨୬ ଯାଏ ସେ ଏହି ପଦବୀରେ କାର୍ଯ୍ୟ କରିବେ । ବର୍ତ୍ତମାନ ବିପିଆରଡ ଡିଜି ଥିବା ବାଲାଜୀ ଶ୍ରୀବାସ୍ତବ ମଧ୍ୟ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ କେନ୍ଦ୍ର ସରକାର ଦେଶରେ ଏହି ତିନୋଟି ପ୍ରମୁଖ କେନ୍ଦ୍ରୀୟ ଏଜେନ୍ସିର ନୂଆ ଡିଜି ନିଯୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking