30.1 C
Bhubaneswar
Monday, May 6, 2024
Homeଖେଳଲୌରିଅସ୍ କ୍ରୀଡ଼ା ପୁରସ୍କାର ୨୦୨୨: ‘ବ୍ରେକ୍‌ଥ୍ରୁ ପୁରସ୍କାର’ ଦୌଡ଼ରେ ନୀରଜ ଚୋପ୍ରା

ଲୌରିଅସ୍ କ୍ରୀଡ଼ା ପୁରସ୍କାର ୨୦୨୨: ‘ବ୍ରେକ୍‌ଥ୍ରୁ ପୁରସ୍କାର’ ଦୌଡ଼ରେ ନୀରଜ ଚୋପ୍ରା

ଲଣ୍ଡନ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କ ନାମ ପ୍ରତିଷ୍ଠିତ ଲୌରିଅସ୍ ବିଶ୍ୱ କ୍ରୀଡ଼ା ପୁରସ୍କାରରେ ‘ବ୍ରେକ୍‌ଥ୍ରୁ ପୁରସ୍କାର’ ପାଇଁ ସୁପାରିସ କରାଯାଇଛି । ଏହି ବର୍ଗରେ ଶର୍ଟଲିଷ୍ଟ ହେବାରେ ସେ ପ୍ରଥମ ଭାରତୀୟ । ସେହିପରି ଲୌରିଅସ୍ ପୁରସ୍କାର ପାଇଁ ନାମାଙ୍କିତ ହେବାରେ ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଓ ରେସ୍‌ଲର୍ ଭିନେଶ ଫୋଗଟ୍‌ଙ୍କ ପରେ ତୃତୀୟ ଭାରତୀୟ । ନୀରଜଙ୍କ ବ୍ୟତୀୟ ଏହି ପୁରସ୍କାର ଦୌଡ଼ରେ ଟେନିସ୍ ତାରକା ଦାନିଲ୍ ମେଡ୍‌ଭେଡେଭ୍ ଓ ଏମ୍ମା ରାଡୁକାନୁଙ୍କ ସମେତ ଛଅ ଖେଳାଳି ରହିଛନ୍ତି । ଏପ୍ରିଲ୍ ମାସରେ ଆୟୋଜିତ ଏକ ଭର୍ଚୁଆଲ୍ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପୁରସ୍କାରର ସାତଟି ବର୍ଗ ପାଇଁ ପ୍ରମୁଖ କ୍ରୀଡ଼ା ସାମ୍ବାଦିକ ଓ ବ୍ରଡ୍‌କାଷ୍ଟର୍‌ଙ୍କ ଦ୍ୱାରା ସାରା ବିଶ୍ୱର ୧୩୦୦ କ୍ରୀଡ଼ାବିଡତ୍‌ଙ୍କ ନାମ ସୁପାରିସ କରାଯାଇଛି । ବିଜେତାଙ୍କ ଚୟନ ଲୌରିଅସ୍ ବିଶ୍ୱ କ୍ରୀଡ଼ା ଏକାଡେମୀ ଦ୍ୱାରା ଭୋଟ୍ ମାଧ୍ୟମରେ କରାଯିବ । ବିଶ୍ୱର ୭୧ ଜଣ ମହାନ୍ କ୍ରୀଡ଼ାବିତ୍ ଏହି ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେ ।

ନୀରଜ କହିଛନ୍ତି, ‘ଏହି ପୁରସ୍କାର ପାଇଁ ନାମ ସୁପାରିସ ହୋଇଥିବାରୁ ମୁଁ ବହୁତ ଖୁସି ଏବଂ ଏହା ମୋ ପାଇଁ ବହୁତ ସମ୍ମାନର ବିଷୟ । ଭାରତର ଏକ ଛୋଟ ଗାଁରୁ ବାହାରି ଫିଟ୍‌ନେସ୍ ପାଇଁ କ୍ରୀଡ଼ା ଯୋଡ଼ିହେବା ପରେ ଅଲିମ୍ପିକ୍ ପଦକ ପର୍ଯ୍ୟନ୍ତ ଯାତ୍ରା ବହୁ ଭଲ ରହିଛି ।’ ସେ କହିଛନ୍ତି, ‘ଦେଶ ପାଇଁ ପ୍ରତିନିଧିତ୍ୱ କରି ପଦକ ଜିତିବା ଆହୁରି ଭଲ ଅନୁଭବ । ଏତେ ସଂଖ୍ୟକ ମହାନ୍ କ୍ରୀଡ଼ାବିଡ୍‌ଙ୍କ ସହ ମୋତେ ପୁରସ୍କାର ପାଇଁ ମନୋନୟନ କରାଯିବ ବଡ଼ ଗର୍ବର ବିଷୟ ।’ ଚୋପ୍ରାଙ୍କ ବ୍ୟତୀତ ବ୍ରେକ୍‌ଥ୍ରୁ ପୁରସ୍କାର ସୂଚୀରେ ୧୮ ବର୍ଷ ବୟସରେ ଆମେରିକାନ୍ ଓପନ୍ ଟାଇଟଲ୍ ଜିତିଥିବା ବ୍ରିଟେନ୍‌ର ଏମ୍ମା ରାଡୁକାନୁଙ୍କ ନାମ ମଧ୍ୟ ରହିଛି ।

ସେହିପରି ଆମେରିକାନ୍ ଓପନ୍ ଜିତିଥିବା ରୁଷିଆର ଦାନିଲ୍ ମେଡ୍‌ଭେଡେଭ୍‌, ଏଫ୍‌ସି ବାର୍ସିଲୋନା ଫୁଟ୍‌ବଲର୍ ପେଡ୍ରୋ, ଟ୍ରିପଲ୍ ଜମ୍ପ୍‌ରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ୟୁଲିମାର ରୋଜାସ୍ ଓ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱିମର୍ ଏରିଆର୍ନେ ଟିଟମସ୍‌ଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି । ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିଡ୍ ପୁରସ୍କାର ଦୌଡ଼ରେ ଏନ୍‌ଏଫ୍‌ଏଲ୍ ଷ୍ଟାର୍ ଟମ୍ ବ୍ରାଡି, ବାୟର୍ନ ମ୍ୟୁନିକ୍‌ର ରବର୍ଟ ଲେଭାଣ୍ଡୋସ୍କି, ଫମୂର୍ଲା ୱାନ୍ ବିଶ୍ୱ ଚାମ୍ପିଅନ୍ ମାକ୍ସ ଭେର୍ଷ୍ଟାପେନ୍‌, ବିଶ୍ୱର ନମ୍ବର ଏକ ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍‌, ଟୋକିଓ ଅଲିମ୍ପିକ୍ସରେ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିବା ମହାନ୍ ସ୍ୱିମର୍ କାଲେବ୍ ଡ୍ରେସେଲ୍ ମାରାଥନ ସ୍ୱର୍ଣ୍ଣ ବିଜେତା ଇଲିଉଡ୍ କିପ୍‌ଚୋଗେ ସାମିଲ ଅଛନ୍ତି ।

ମହିଳା ବର୍ଗରେ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ଦୌଡ଼ରେ ଜାମାଇକା ସ୍ପ୍ରିଣ୍ଟର୍ ଆଲେନ୍ ଥମ୍ପସନ୍ ହେରା, ଅଷ୍ଟ୍ରେଲୀୟ ସ୍ୱିମର୍ ଏମ୍ମା ମ୍ୟାକିୟୋନ୍ ଓ ଆମେରିକୀୟ ସ୍ୱିମର୍ କେଟି ଲେଡେକିଙ୍କ ନାମ ରହିଛି । ଅଲିମ୍ପିକ୍‌ରେ ବ୍ୟକ୍ତିଗତ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିବାରେ ଶୁଟର୍ ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ଦ୍ୱିତୀୟ ଭାରତୀୟ । ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍‌ର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟୋକିଓରେ ଅଲିମ୍ପିକ୍ ପଦାର୍ପଣ କରିଥିବା ୨୩ ବର୍ଷୀୟ ଚୋପ୍ରା ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ହାସଲ କରିଥିଲେ। ସୂଚନାଯୋଗ୍ୟ, ଲୌରିଅସ୍ ପୁରସ୍କାର ପାଇଁ ନାମାଙ୍କିତ ହେବାରେ ସେ ଭିନେଶ ଫୋଗଟ୍ (୨୦୧୯) ଓ ସଚିନ୍ ତେନ୍ଦୁଲକର (୨୦୨୦ କ୍ରୀଡ଼ାର ସବଶ୍ରେଷ୍ଠ ମୁହୂର୍ତ୍ତ ପୁରସ୍କାର)ଙ୍କ ପରେ ତୃତୀୟ ଭାରତୀୟ । ୨୦୧୧ ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳିମାନେ ତେନ୍ଦୁଲକଙ୍କୁ କାନ୍ଧରେ ବସାଇ ପଡ଼ିଆ ଚାରିପଟେ ବୁଲିଥିଲେ । ଏଥିପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking