ଭୁବନେଶ୍ୱର: ପୋଲିସ ବାବୁଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ । ପୂର୍ବତନ ଶରଣକୁଳ ଥାନା IIC ସୁଜିତ ଦାସଙ୍କୁ ଗିରଫ କରିବାକୁ ଖୋଜୁଛି କ୍ରାଇମବ୍ରାଞ୍ଚ। ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି ହୋଇଛି। ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ।ତେବେ ସୁଜିତଙ୍କୁ ଗିରଫ ପାଇଁ ପୋଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ ଚଳାଇଛନ୍ତି। ଚଢ଼ାଉ ଜୋରଦାର ହୋଇଥିଲେ ମଧ୍ୟ ସୁଜିତ ଦାସ ଏବେବି ଫେରାର ଅଛନ୍ତି। ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ରେଡ୍ କରାଯାଇଛି। ବାବୁଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଜଣେ DSPଙ୍କ ନେତୃତ୍ବରେ ୫ ଟିମ ଗଠିତ ହୋଇଛି।
ସୂଚନାଯୋଗ୍ୟ ଯେ, ଜଣେ ମହିଳାଙ୍କ ପରିବାର ସହିତ ଗ୍ରାମବାସୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ହୋଇଥିଲା । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ମାଗିକି ନେଇଥିଲେ । କିନ୍ତୁ ଥାନା ବାବୁ ଘଟଣାର ସମାଧାନ କରିବା ବଦଳରେ ମହିଳାଙ୍କ ଦୁର୍ବଳତାର ଫାଇଦା ଉଠାଇଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।
ଏପିରିକି ବିଭିନ୍ନ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ମିଥ୍ୟା ମାମଲାରେ ମଧ୍ୟ ମହିଳାଙ୍କୁ ଗିରଫ କରାଇଥିଲେ । ଏ କଥା କାହାକୁ କହିଲେ ବାପା ଏବଂ ଭାଇଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ । ଏ ନେଇ ମହିଳା ଜଣକ ନୟାଗଡ଼ ଏସପିଙ୍କୁ ଜଣାଇବା ପରେ ପ୍ରଥମେ ସୁଜିତ ଦାସଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ପରବର୍ତ୍ତୀ ସମୟରେ ଗତ ୨୨ ଜୁନରେ ଡିଜିପି ସୁଜିତ ଦାସଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ଏବେ ତାଙ୍କୁ ଗିରଫ ପାଇଁ ଖୋଜୁଛି କ୍ରାଇମବ୍ରାଞ୍ଚ ।










