ଯାଜପୁର : ଚା’ରେ ନିଶା ଦେଇ ଲୁଟିନେଲେ ୫ ଲକ୍ଷ ଟଙ୍କା । ଯାଜପୁର ରୋଡ୍ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଘଟଣା। ଯାତ୍ରୀଙ୍କ ସହ ପ୍ରଥମେ ବନ୍ଧୁତା କଲେ ଏବଂ ପରେ ଚା’ରେ ନିଶା ଦେଇ ଲୁଟିଲେ । ଲୁଟ୍ର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ାର ତପନ ରାଉତ । ଅଭିଯୋଗ ପରେ ପୁରୀରୁ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ରୋଡ ଥାନା ପୁଲିସ। ଗିରଫ ଅଭିଯୁକ୍ତ କଟକର ପ୍ରମୋଦ ଦାସ । ଗିରଫ ପରେ ପୁଲିସ ତାଙ୍କ ଘରେ ଚଢ଼ାଉ କରି ଲୁଟ୍ ଟଙ୍କାରେ କିଣାଯାଇଥିବା ସୁନା ମଙ୍ଗଳସୁତ୍ର, ରୁପା ଚେନ୍, ଫ୍ରିଜ୍, କୁଲର୍, ଖଟ, ଡ୍ରେସିଂ ଟେବୁଲ ସହିତ ବିଭିନ୍ନ ଘରକରଣା ସାମଗ୍ରୀ ଜବତ କରିଛି ।ସୂଚନା ଅନୁଯାୟୀ ତପନ ଟ୍ରେନ୍ରେ ଆସିବା ପରେ ଯାଜପୁର ରୋଡ ଷ୍ଟେସନରୁ ଓହ୍ଲାଇ ଘରକୁ ଯିବା ଲାଗି ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ । ଏ ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସହିତ ଗପସପ କରିବା ସହିତ ବନ୍ଧୁତା ଜମାଇଥିଲେ । ପରେ ଚା’ରେ ନିଶା ଦେଇ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟ୍ କରି ଫେରାର ମାରିଥିଲା ଅଭିଯୁକ୍ତ ।










