ଭୁବନେଶ୍ବର: ଚିନି ଦର ବୃଦ୍ଧି ପରେ ଏବେ ରୋଷେଇ ଘରକୁ ଆଉ ଏକ ଝଟକା ଦେଇଛି ପିଆଜ। ଦେଶର ବିଭିନ୍ନ ସହରରେ ପିଆଜ ଦର ଦ୍ରୁତ ଗତିରେ ବଢ଼ିଛି। ଗତ ମାସକ ମଧ୍ୟରେ ପିଆଜ ଦର ପ୍ରାୟ ୧୯ ପ୍ରତିଶତ ବଢ଼ିଥିବା ବେଳେ, ବର୍ତ୍ତମାନ ହାରାହାରି ଦର କିଲୋପ୍ରତି ପ୍ରାୟ ୪୫ ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୪୫ ପ୍ରତିଶତ ଅଧିକ। ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ପିଆଜ ଦର କିଲୋପ୍ରତି ୬୫ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଦିଲ୍ଲୀରେ ପିଆଜ ପ୍ରାୟ ୩୫ ଟଙ୍କା କିଲୋ ଥିଲା। ସେହିପରି ଚେନ୍ନାଇରେ ଦର ୩୩ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। କେରଳ ଓ ଆସାମର କିଛି ଅଞ୍ଚଳରେ ମଧ୍ୟ ପିଆଜ ଦର ହାରାହାରି ଦରଠାରୁ ଅଧିକ ରହିଛି। ରାଜଧାନୀର ହାଟରେ ପିଆଜ ଦର ୪୦ରୁ ୫୦ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା ୬୦ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ଆସନ୍ତା କିଛି ମାସର ଚାହିଦା ପୂରଣ ପାଇଁ ସରକାର ଓ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପିଆଜ ଷ୍ଟକ୍ ଥିବା ସୂଚନା ମିଳିଛି। ତେବେ ପିଆଜର ସବୁଠାରୁ ବଡ଼ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ରରେ ଖରିଫ୍ ପିଆଜ ଉତ୍ପାଦନ ୫ରୁ ୭ ପ୍ରତିଶତ କମିପାରେ ବୋଲି ବଜାର ସହ ଜଡ଼ିତ ଲୋକେ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ କୃଷି ମନ୍ତ୍ରଣାଳୟର ଆକଳନ ଅନୁସାରେ, ୨୦୨୫-୨୬ ଫସଲ ବର୍ଷରେ ପିଆଜ ଉତ୍ପାଦନ ପ୍ରାୟ ୩୦୭ ଲକ୍ଷ ଟନ୍ ରହିପାରେ। ଏହା ୨୦୨୪-୨୫ର ଉତ୍ପାଦନ ସହ ପ୍ରାୟ ସମାନ।










