ଭୁବନେଶ୍ୱର : ବନ୍ୟା ବେଳେ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଅହେତୁକ ଭାବେ ବଢ଼ିଚାଲିଛି ଖାଇବା ସାମଗ୍ରୀର ଦର । ବନ୍ୟା ସମୟରେ ଦରବୃଦ୍ଧି ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସାଜିଛି । ଚିନି କିଲୋ ୬୦କୁ ଚୁଡ଼ା କିଲୋ ୪୫ ଟଙ୍କାରେ ପହଞ୍ଚିଛି । ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ ଚିନି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚିନି କିଲୋ ୬୦ ଟଙ୍କାରେ ବିକ୍ରି ହୋଇଛି । ସେହିପରି ବନ୍ୟା ସମୟରେ ଚୁଡ଼ାର ଦାମ ମଧ୍ୟ ବୃଦ୍ଧି ପାଇଛି । ମାସେ ତଳେ ଚୁଡ଼ା ୩୮ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚୁଡ଼ା କିଲୋ ୪୫ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ଗୋଟାଏ ପଟେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପାଣି ଘେରରେ ଥିବା ବେଳେ ଖାଇବା ସାମଗ୍ରୀର ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆସୁନାହିଁ । କେବଳ ଚୁଡ଼ା ଚିନି ନୁହେଁ ବରଂ ତେଲ, ଡାଲି, ଚାଉଳ, ପନିପରିବା ସବୁର ଦରଦାମ ବୃଦ୍ଧି ପାଇଛି ।










