ବାରଣାସୀ/ ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ଶ୍ରୀମତୀ ନିଭୃତ୍ତି ଲକ୍ଷ୍ୟରାଜ ମେୱାରଙ୍କ ସହ ଅଗଷ୍ଟ ୨୦ ତାରିଖରେ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର (ଆଇଏସଏଆରସି) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଆଇଏସଏଆରସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଯାହା ସ୍ଥାୟୀ ଓ ସହନଶୀଳ ଧାନ ଆଧାରିତ କୃଷି-ଖାଦ୍ୟ ପ୍ରଣାଳୀକୁ ସାହାଯ୍ୟ କରେ, ତାହା ଅନୁଧ୍ୟାନ କରିଥିଲେ। ସେ ସ୍ପିଡ୍ ବ୍ରିଡିଂ, ଭେରାଇଟାଲ୍ କାଫେଟେରିଆ, ଯାନ୍ତ୍ରିକୀକରଣ ଓ ଅମଳ ପରବର୍ତ୍ତୀ ୟୁନିଟ୍, ସିଧା ସଳଖ ଧାନ ବୁଣା ପରୀକ୍ଷଣ ପ୍ଲଟ୍, ଡ୍ରୋନ୍ ପ୍ରଦର୍ଶନୀ ଏବଂ ପୁନରୁଦ୍ଧାରକାରୀ କୃଷି କ୍ଷେତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧାଗୁଡ଼ିକ ବୁଲି ଦେଖିଥିଲେ। ଧାନ ଚାଷରେ ଉତ୍ପାଦନ, ଦକ୍ଷତା ଏବଂ ସ୍ଥାୟୀତ୍ୱ ବୃଦ୍ଧି ପାଇଁ ବିକଶିତ ଓ ପ୍ରଦର୍ଶିତ ହେଉଥିବା ପ୍ରଯୁକ୍ତିବିଦ୍ୟା ବିଷୟରେ ବୈଜ୍ଞାନିକମାନେ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହା ସହିତ ଶ୍ରୀ ସିଂହଦେଓ ଜିଓସ୍ପାଟିଆଲ୍ ଲ୍ୟାବ୍, ପ୍ଲାଣ୍ଟ ଆଣ୍ଡ୍ ସୋଏଲ୍ ଲ୍ୟାବ୍ ଏବଂ NABL ଦ୍ୱାରା ସ୍ୱୀକୃତିପ୍ରାପ୍ତ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ରାଇସ୍ ଭାଲ୍ୟୁ ଆଡିସନ୍ (CERVA) ଲ୍ୟାବ୍ ପରିଦର୍ଶନ କରି ଆଇଏସଏଆରସିର ଅତ୍ୟାଧୁନିକ ଗବେଷଣା ସୁବିଧା ଏବଂ ଧାନର ମୂଲ୍ୟ ବୃଦ୍ଧି ତଥା କୃଷି କ୍ଷେତ୍ରରେ ନବସୃଜନକୁ ସୁଦୃଢ଼ କରିବାର ପ୍ରଚେଷ୍ଟା ବିଷୟରେ ସୂଚନା ସଂଗ୍ରହ କରିଥିଲେ। କ୍ଷେତ୍ର ଓ ପ୍ରୟୋଗଶାଳା ପରିଦର୍ଶନ ପରେ, ନିମନ୍ତ୍ରିତ ଅତିଥିମାନଙ୍କ ସହ ଏକ ଆଲୋଚନାସଭା ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଆଇଏସଏଆରସିର ବୈଜ୍ଞାନିକ ଓ କର୍ମଚାରୀମାନେ ଭାଗ ନେଇଥିଲେ। ଆଇଆରଆରଆଇ (IRRI) ର ବିଜ୍ଞାନୀ ତଥା ଭାରତର କାର୍ଯ୍ୟକାରୀ କଣ୍ଟ୍ରି ମ୍ୟାନେଜର ଡ. ସ୍ୱାତୀ ନାୟକ ଏବଂ ଆଇଏସଏଆରସିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିକାଶ କୁମାର ସିଂହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଡ. ସିଂହ ଆଇଏସଏଆରସିର କାର୍ଯ୍ୟାବଳୀ, ଓଡ଼ିଶା, ଭାରତ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଆଇଆରଆରଆଇ ଓ ଆଇଏସଏଆରସିର ଅବଦାନ ଏବଂ ଗବେଷଣା, ନବସୃଜନ, କ୍ଷମତା ବୃଦ୍ଧି ଓ ସହଭାଗିତା ମାଧ୍ୟମରେ କୃଷି ପ୍ରାଥମିକତାଗୁଡ଼ିକର ସମାଧାନ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ଧାନକୁ ଭାରତରୁ ଅଲଗା କରାଯାଇପାରିବ ନାହିଁ, ଏବଂ କୃଷକମାନଙ୍କ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଓ କୌଶଳ ବିକଶିତ କରିବାରେ ଆଇଆରଆରଆଇ ଏବଂ ଆଇଏସଏଆରସି ବୈଜ୍ଞାନିକମାନଙ୍କ କାର୍ଯ୍ୟକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି। ଆଜି ବୈଜ୍ଞାନିକମାନଙ୍କ ସହ ମୋର କଥାବାର୍ତ୍ତା ଏକ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତି ଥିଲା ଏବଂ ଓଡ଼ିଶାର ଚାଷୀମାନଙ୍କୁ ସାହାଯ୍ୟ କରିବା ବିଶେଷ କରି ଏହି ବନ୍ୟା ସମୟରେ କେଉଁ ପ୍ରକାର ଧାନ ଓ କମ୍ ଅବଧିର ଫସଲ କରାଯାଇପାରିବ ଓ କୃଷି ନବସୃଜନକୁ ଆଗେଇ ନେବା ପାଇଁ ଆଇଆରଆରଆଇ ସହ ସହଯୋଗକୁ ସୁଦୃଢ଼ କରିବାକୁ ମୁଁ ଆଶା ରଖୁଛି।”
ଆଇଏସଏଆରସି ନିର୍ଦ୍ଦେଶକ ଡ. ବିକାଶ ସିଂହ କହିଛନ୍ତି ଯେ, “ଆମେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ସହଯୋଗକୁ ଉଚ୍ଚ ପ୍ରଶଂସା କରୁଛୁ ଏବଂ କୃଷି ତଥା କୃଷକମାନଙ୍କ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ସମ୍ମାନ ଜଣାଉଛୁ। ଗତ ଦଶନ୍ଧି ମଧ୍ୟରେ ଆଇଏସଏଆରସି ଗବେଷଣା ଓ ନବସୃଜନକୁ ଚାଷୀଙ୍କ ହିତରେ ବ୍ୟବହାର କରିବା ସହ ସମଗ୍ର ଭାରତ ଓ ଦକ୍ଷିଣ ଏସିଆରେ ଭାଗିଦାରୀକୁ ସୁଦୃଢ଼ କରିବାରେ ମନୋନିବେଶ କରିଛି। ଓଡ଼ିଶାରେ ସ୍ଥାୟୀ କୃଷି ବିକାଶ ପାଇଁ ଏହି ସହଯୋଗକୁ ଅଧିକ ବ୍ୟାପକ କରିବାକୁ ଆମେ ଆଶାୟୀ।” ଡ. ସ୍ୱାତୀ ନାୟକ ଆଇଆରଆରଆଇ ଏବଂ ଓଡ଼ିଶାର ସହଯୋଗର ଇତିହାସ ତଥା ଧାନ ଆଧାରିତ ଚାଷ ପ୍ରଣାଳୀ, କ୍ଷୁଦ୍ରଚାଷୀଙ୍କ ଜୀବିକା ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ଉପରେ ସେମାନଙ୍କର ମିଳିତ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରିଦର୍ଶନ ଚାଷୀମାନଙ୍କ ପାଇଁ ବିଜ୍ଞାନ ଭିତ୍ତିକ ସମାଧାନ ପ୍ରଦାନ କରିବାରେ ନୀତି ନିର୍ଦ୍ଧାରକ, ଗବେଷଣା ଅନୁଷ୍ଠାନ ଏବଂ କୃଷି ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗର ଗୁରୁତ୍ୱକୁ ଦର୍ଶାଉଛି।










