ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ CSIR-IMMT ପରିଦର୍ଶନ କରି ପ୍ରତିଷ୍ଠାନରେ ବିଭିନ୍ନ ଗବେଷଣା ଏବଂ ପ୍ରଯୁକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟପାଳ PGIM ପାଇଲଟ ପ୍ଲାଣ୍ଟ, ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ଏବଂ ଗଭୀର ସମୁଦ୍ର ପଲିମେଟାଲିକ ନୋଡୁଲ୍ସରୁ ଚାରୋଟି ଧାତୁ ପୁନରୁଦ୍ଧାର ପାଇଁ ପ୍ରଯୁକ୍ତି ପ୍ରଦର୍ଶନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ଅର୍ଥ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ହିନ୍ଦୀ ପରାମର୍ଶଦାତା କମିଟିର ସଦସ୍ୟ ଡ ବିପିନ କୁମାର ଏବଂ CSIR-IMMT ନିର୍ଦ୍ଦେଶକ ଡ. ରାମାନୁଜନ ନାରାୟଣ ଉପସ୍ଥିତ ଥିଲେ।
ପ୍ରତିଷ୍ଠାନର ବରିଷ୍ଠ ପରିଚାଳନା ଅଧିକାରୀ ଏବଂ ବୈଜ୍ଞାନିକମାନେ ରାଜ୍ୟପାଳଙ୍କୁ CSIR-IMMT ଦ୍ୱାରା କରାଯାଉଥିବା ବିଭିନ୍ନ ଗବେଷଣା ଏବଂ ପ୍ରଯୁକ୍ତି ବିକାଶ ସମ୍ପର୍କିତ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ଗଭୀର ସମୁଦ୍ର ପଲିମେଟାଲିକ ନୋଡୁଲ୍ସରୁ ଖଣିଜ ପ୍ରକ୍ରିୟାକରଣ, ସ୍ଥାୟୀ ପୁନଃଚକ୍ରଣ ଏବଂ ମୂଲ୍ୟବାନ ଧାତୁର ପୁନରୁଦ୍ଧାର ପାଇଁ ବିକଶିତ ପ୍ରଯୁକ୍ତିବିଦ୍ୟା ବିଷୟରେ ମଧ୍ୟ ରାଜ୍ୟପାଳଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରା ଯାଇଥିଲା। ଖଣିଜ ଏବଂ ପଦାର୍ଥ କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ସ୍ଥାୟୀ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ CSIR-IMMTର ବୈଜ୍ଞାନିକ, ଗବେଷକ ଏବଂ ଅଧିକାରୀମାନଙ୍କୁ ସେମାନଙ୍କର ଅଭିନବ କାର୍ଯ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ଜାତୀୟ ପ୍ରାଥମିକତା କ୍ଷେତ୍ରରେ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏତତବ୍ୟତୀତ CSIR-IMMTକୁ ଭୁବନେଶ୍ୱରର NALCO ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (NRTC)ର ବିଟୁମିନସ କୋଇଲା ଫ୍ଲାଏ ଆଶର ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ପୁନରୁଦ୍ଧାର ପାଇଁ ସର୍ବ ପ୍ରଥମ ସ୍ୱଦେଶୀ ପାଇଲଟ ପ୍ଲାଣ୍ଟ ବିକଶିତ କରିଥିବାରୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।










