ଭୁବନେଶ୍ୱର:ଓଡ଼ିଶା ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ‘ଏମ୍ଭି ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଜାହାଜରେ ଥିବା ଅନ୍ୟ କ୍ରୁ ମେମ୍ବରଙ୍କ ସୁରକ୍ଷା କାମନା କରିଛନ୍ତି ମନ୍ତ୍ରୀ। ସୋନୱାଲ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଘଟଣା ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଏମ୍ଭି ଓସେନ୍ ୱିନର ନାମକ ଜାହାଜଟି ଓଡ଼ିଶା ଉପକୂଳରେ ବୁଡ଼ିଯାଇଛି। ପାନାମା ପତାକା ଥିବା ଏହି ଜାହାଜଟି ପାରାଦୀପରୁ ଲୁହାପଥର ନେଇ ଚୀନ୍ ଅଭିମୁଖେ ଯାଉଥିଲା। ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ରେସ୍କ୍ୟୁ ଅପରେସନରେ ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ନିୟୋଜିତ କରାଯାଇଥିବା ସୋନୱାଲ କହିଛନ୍ତି। ଏପର୍ଯ୍ୟନ୍ତ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।










