ପୋଲିସକୁ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚା ସଭାପତି ଗିରଫ ପ୍ରସଙ୍ଗ
ମନ୍ତ୍ରୀଙ୍କ ପ୍ରତିନିଧି ଓ ସଂପର୍କୀୟ ବାରମ୍ବାର ଆଇନ ଉଲ୍ଲଂଘନ କରୁଛନ୍ତି କାହିଁକି?
ମନ୍ତ୍ରୀଙ୍କ ଚାପ ଅପେକ୍ଷା ପୋଲିସର ମନୋବଳ ବୃଦ୍ଧି ପାଇଁ କାର୍ଯ୍ୟ କରନ୍ତୁ ବ୍ରହ୍ମପୁର ଏସ୍ପି
ଭୁବନେଶ୍ୱର: ଶିଶୁ ଶ୍ରମିକ ଉଦ୍ଧାର ଘଟଣାରେ ପୋଲିସ ଉପରେ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚା ସଭାପତି ବି.ସୋମନାଥ ପାତ୍ର ଗିରଫ ହୋଇଛନ୍ତି । ମନ୍ତ୍ରୀ ବିଭୂତି ଜେନାଙ୍କ ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଓ ଅସାମାଜିକ କାର୍ଯ୍ୟ ଜିଲ୍ଲାରେ ବୃଦ୍ଧି ପାଉଥିଲା ବେଳେ କାହିଁକି ଶାସକ ଦଳର ଚାପରେ ବ୍ରହ୍ମପୁର ପୋଲିସ ଚେପା ହୋଇଛି ବୋଲି ପ୍ରଶ୍ନ କରିଛି ବିଜେଡି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ବିଭୂତି ଜେନାଙ୍କ ସଂପର୍କୀୟ ଓ ପ୍ରତିନିଧିମାନେ ଲଗାତାର ଭାବେ ଆଇନ ଉଲ୍ଲଂଘନ କରୁଛନ୍ତି ଏବଂ ବ୍ରହ୍ମପୁର ପୋଲିସ ମନ୍ତ୍ରୀଙ୍କ ଇଙ୍ଗିତରେ ଆଇନକୁ ତା’ବାଟରେ ଯିବାକୁ ଦେଉନାହାନ୍ତି । ପରିସ୍ଥିତି ଏପରି ହେଉଛି ଯେ, ଜଣେ କର୍ତ୍ତବ୍ୟରତ ପୋଲିସ ଇନିସ୍ପେକ୍ଟରଙ୍କୁ ମନ୍ତ୍ରୀଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଆକ୍ରମଣ କଲେ ମଧ୍ୟ ପୋଲିସ କୋହଳ ଦଫା ଲଗାଇ ଗିରଫ କରିଛି । ଏହା ପୂର୍ବରୁ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନା, ଦିନ ଦ୍ୱିପ୍ରହରରେ ଜଣେ ଆଡଭୋକେଟ ଏବଂ ତାଙ୍କ ପରିବାରକୁ ଅମାନୁସିକ ଭାବେ ଆକ୍ରମଣ କରିବା ଘଟଣାରେ ପୋଲିସ ଚାର୍ଜସିଟରୁ ତାଙ୍କ ନାଁ କାଟି ଦେଇଥିଲା । ମନ୍ତ୍ରୀଙ୍କ ଆଉ ଜଣେ ପୁତୁରା ବିଶ୍ୱଜିତ ଜେନା, ବହୁ ଚର୍ଚ୍ଚିତ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିଲେ ମଧ୍ୟ, ପୋଲିସ ଅଭିଯୁକ୍ତଙ୍କ ଫଟୋ ସାର୍ବଜନୀନ କରିନଥିଲା ଏବଂ ଅଦାଲତରେ କେସ୍ ଡାଏରୀ ଦାଖଲ ନକରି ତାଙ୍କୁ ଜାମିନ ମିଳିବାରେ ସହାୟତା କରିଥିଲା । ମନ୍ତ୍ରୀ ଜେନାଙ୍କ ଆଉ ଜଣେ ପ୍ରତିନିଧି ସୁନିଲ ପାତ୍ରଙ୍କ ଘରେ ଇଡି ଚଢାଉ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ଚାପରେ ମାମଲାକୁ ଚପାଇ ଦିଆଯାଇଛି ।
ସେହିପରି ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାରେ ବ୍ୟାପକ ମୋରମ, ବାଲି ଓ ଗୋଡିର ଚୋରା ଉତ୍ତୋଳନ ଏବଂ ଚାଲାଣ ଫଳରେ ସରକାରୀ ରାଜସ୍ୱ କ୍ଷତି ସହ ଜିଲ୍ଲାରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ପରିସ୍ଥିତି ଏଭଳି ହେଲାଣି ଯେ, ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ହାତ ଉଠାଇ ଆକ୍ରମଣ କରିବାରେ ପଛାଉନାହାନ୍ତି । ରକ୍ଷକ ଯଦି ଭକ୍ଷକ ସାଜେ ଲୋକେ ଗୁହାରୀ କରିବେ କାହାକୁ ବୋଲି ବିଜେଡି ପ୍ରଶ୍ନ କରିଛି । ଜିଲ୍ଲାର ଆଇନଶୃଙ୍ଖଳାକୁ ଗୁରୁତ୍ୱ ଦେଇ ପୋଲିସ ଯଦି ଚାପ ମୁକ୍ତ ହୋଇ କାର୍ଯ୍ୟ ନକରିବ ତାହା ହେଲେ ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି ।










