କୋରାପୁଟ: ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଙ୍କ ମୃତଦେହ ବିଦ୍ୟାଳୟ ପଛପଟୁ ମିଳିବା ପରେ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଗୁମୁଡ଼ା ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ।ତେବେ କୌଣସି କାରଣରୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟାଳୟର ପଛପଟୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଓ ହଷ୍ଟେଲ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ । ସେପଟେ ଛାତ୍ରଙ୍କ ପରିବାର ଲୋକେ ଏହାକୁ ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।ଘଟଣାକୁ ନେଇ ପରିବାର ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ, ପୁଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ । ହଷ୍ଟେଲରେ ରହୁଥିବା ଜଣେ ନାବାଳକ ଛାତ୍ରଙ୍କ ଏଭଳି ମୃତ୍ୟୁକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।










